କଟକ ସଦର,୦୮/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ଜଜ୍ କୋର୍ଟ ସମେତ ସମ୍ବଲପୁର ଓ ଦେବଗଡ ଜିଲ୍ଲା କୋର୍ଟ ଭିତରେ ଆରଡିଏକ୍ସ ବୋମା ରହିଥିବା ଏବଂ ଦିନ ୨ଟା ୪୫ ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଇ-ମେଲ ଯୋଗେ ଧମକ ମିଳିବା ପରେ ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଇ-ମେଲ୍ ଓଡ଼ିଆରେ ଲେଖାଯାଇଛି ।ଏହି ଖବର ଜଣାପଡିବା ପରେ କଟକ ରେ ହାଇକୋର୍ଟ ରାସ୍ତା କୁ ପୋଲିସ ସୁରକ୍ଷା ଦୃଷ୍ଟିରୁ ନିଜ କଵଜାକୁ ନେଇ ଜିଲ୍ଲା କୋର୍ଟ ପରିସର ରୁ ଓକିଲ, ମହକିଲ ଓ ବିଚାରପତି ମାନଙ୍କ ସମେତ ସମସ୍ତ ଲୋକଙ୍କୁ ବାହାର କରି ସନ୍ଧାନୀ କୁକୁର,ବମ୍ ସ୍କ୍ୱାର୍ଡ ଦ୍ୱାରା ତନ ତନ କରି ତଲାସୀ ଅଭିଯାନ ଜୋରଦାର କରିଥିଲେ।
ହେଲେ ଏହା ସତ୍ୟ ନୁହେଁ ବୋଲି ଜଣାପଡିବା ଏଵଂ ଏଥିରେ ଭୟଭୀତ ନହେବାକୁ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ପରେ ଅଵସ୍ଥା ସ୍ୱାଭାବିକ ହୋଇଛି। ତେବେ ସମ୍ବଲପୁର, କଟକ ଓ ଦେବଗଡ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ ଆସିଥିବା ଖବରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେବା ସହିତ ଏଥିରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ଡିଜିପି ଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ବାନ କରିଥିବା ଜଣାପଡିଛି।
