ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଂଜ୍ୟୁମର୍ସ ଆସୋସିଏସନର ବିରୋଧ

ଭୁବନେଶ୍ୱର,୦୨/୦୩/୨୦୨୫ (ଓଡ଼ିଶା ସମାଚାର)- ଘରୋଇ ବିଦ୍ୟୁତ କମ୍ପାନୀ ଟାଟା ପାୱାର ପରିଚାଳନାରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ଚାପରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଦ୍ବାରା ବିଦ୍ୟୁତ ଶୁଳ୍କ ୟୁନିଟ୍ ପ୍ରତି ୯୧ପଇସା ବୃଦ୍ଧି କରିବାର ଯେଉଁ ପ୍ରସ୍ତାବ ରହିଛି ତାକୁ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଂଜ୍ୟୁମର୍ସ ଆସୋସିଏସନ ଓଡିଶା ରାଜ୍ୟ ସାଙ୍ଗଠନିକ କମିଟି ପକ୍ଷରୁ ଦୃଢ ବିରୋଧ କରାଯାଇଛି।

ଓଡିଶାରେ ବହୁ ରାଷ୍ଟ୍ରାୟତ୍ତ ଓ ଘରୋଇ ବିଦ୍ୟୁତ କମ୍ପାନୀମାନେ ତାପଜ ବିଦ୍ୟୁତ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ଥିବା ବେଳେ ଓଡିଶା ରାଜ୍ୟ ସରକାରଙ୍କ ପରିଚାଳନାରେ ଓଡିଶା ଜଳ ବିଦ୍ୟୁତ ନିଗମ ଦ୍ବାରା ବହୁ ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ରହିଛି । ଓଡିଶାର କୋଇଲା, ପାଣି , ଜମିକୁ ନେଇ ପ୍ରାକୃତିକ ପରିବେଶକୁ ପ୍ରଦ୍ୟୁଷଣ କରି ବିଦ୍ୟୁତ ଉତ୍ପାଦିତ କରାଯାଇଆସୁଛି। ଓଡିଶା ରାଜ୍ୟରୁ ବଳକା ବିଦ୍ୟୁତ ଦେଶର ବହୁ ରାଜ୍ୟକୁ ବିତରଣ କରାଯାଇ ଆସୁଛି।

ଓଡିଶା ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସୁଲଭ ଦରରେ ବିଦ୍ୟୁତ୍ ଯୋଗାଇ ଦେବା ପରିବର୍ତ୍ତେ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ ଚାପରେ ବାରମ୍ବାର ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ମୁହଁକୁ ଠେଲିଦେଉଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଓଇଆରସିର ଶୁଣାଣି ଆଳ କରି ବିଦ୍ୟୁତ ଶୁଳ୍କ ୟୁନିଟ୍ ପ୍ରତି ୯୧ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ବୋଲି ଆସୋସିଏସନ ପକ୍ଷରୁ ପ୍ରକାଶ କରାଯାଇଛି ।

ଏହି ଜନବିରୋଧୀ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଂଜ୍ୟୁମର୍ସ ଆସୋସିଏସନର ଓଡିଶା ରାଜ୍ୟ ଆବାହକ ଜୟସେନ ମେହେର,ସଂଗଠକ ପ୍ରହ୍ଲାଦ ଚନ୍ଦ୍ର ସାହୁ, ନିରଞ୍ଜନ ମହାନ୍ତି, ତୀର୍ଥବାସୀ ଭୋଇ, ବ୍ରହ୍ମାନନ୍ଦ ମଲ୍ଲିକ ପ୍ରମୁଖ ରାଜ୍ୟ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *