ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ୍ ଉଦଘାଟିତ

କେନ୍ଦ୍ରାପଡ଼ା,୧୩/୦୩/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ କେନ୍ଦ୍ରାପଡ଼ା ଇଛାପୁର ସାମଗୁଡ଼ିଆ ନିକଟସ୍ଥ ନବନିର୍ମିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ର ଶୁଭ ଉଦଘାଟନ କରିଛନ୍ତି । ଭବିଷ୍ୟତ ପାଇଁ ବଡ଼ଶକ୍ତିଭାବେ ଉଭା ହୋଇଥିବା ସଶକ୍ତ ଯୁବଶକ୍ତି ଗଠନ ପାଇଁ କ୍ରୀଡ଼ା ଭିତିଭଭୂମିର ବିକାଶ ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୬ଗୋଟି ବହୁମୁଖୀ ଇନ ଡୋର୍ ଷ୍ଟାଡିୟମ୍ ଉଦଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶା ପୋଷଣ କରିଥିଲେ ଯେ, ଗ୍ରାମାଂଚଳଠାରୁ ସହରାଂଚଳ ପର୍ଯ୍ୟନ୍ତ ପିଲାମାନେ କ୍ରୀଡ଼ାକ୍ଷେତ୍ରରେ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିବେ ଏବଂ ଏହି ବହୁମୁଖୀ ଇନ୍ ଡୋର୍ ଷ୍ଟାଡିୟମ୍ ସେମାନଙ୍କୁ ଏ ଦିଗରେ ସୁଯୋଗ ପ୍ରଦାନ କରିବ । ଏହି ଅବସରରେ ୫- ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ କହିଥିଲେ ଯେ ବହୁମୁଖୀ ଇନଡୋର୍ ଷ୍ଟାଡିୟମ୍ ହେଉଛି ଲୋକମାନଙ୍କର ସମ୍ପତି ଓ ତାର ଯତ୍ନ ନେବା ଦାୟିତ୍ୱ ଲୋକମାନଙ୍କର । ଏହି ଉଦଘାଟନୀ ସମାରୋହରେ କେନ୍ଦ୍ରାପଡ଼ାର ବିଧାୟକ ଶଶୀଭୂଷଣ ବେହେରା, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲା କ୍ରୀଡ଼ା ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବିଭିନ୍ନ ସ୍କୁଲ୍ ର କ୍ରୀଡ଼ା ଶିକ୍ଷକ, କ୍ରୀଡ଼ାବିତ୍, ଜନପ୍ରତିନିଧି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୂଖ ଏହି ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *