ଭୁବନେଶ୍ୱର, ୧୩/୦୩/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନ ପୂର୍ବରୁ ସବୁ ସଂଘ ଓ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର । ଏପରିକି ଯେଉଁମାନେ ଦାବି କରିନାହାଁନ୍ତି ସେମାନଙ୍କ ଦରମା ବୃଦ୍ଧି କରିଛି ସରକାର । ତେବେ କେବଳ ସାମ୍ବାଦିକଙ୍କ ଦାବି ପୂରଣ ହୋଇନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଏଥି ପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଂଚର ଆବାହକ ଡ଼ ଲିଙ୍ଗରାଜ ସାହୁ ଦାବି କରିଛନ୍ତି । ଶ୍ରୀ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା ଆବଶ୍ୟକ ରହିଛି । ବିଭିନ୍ନ ସାମ୍ବାଦିକଙ୍କ ବାପା ଓ ମା’ ଗ୍ରାମରେ ରହୁଛନ୍ତି । ସେମାନଙ୍କ ସୁବିଧା ପାଇଁ ବୀମାର ସାମିଲ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଗଲେ ସାମ୍ବାଦିକମାନେ ଉପକୃତ ହେବେ । ବିଭିନ୍ନ ଅନୁମତିପ୍ରାପ୍ତ ୱେବ୍ ଚ୍ୟାନେଲ ଏବଂ ପୋଟାଲ ନୁ୍ୟଜ୍ ସଂସ୍ଥାର ସାମ୍ବାଦିକଙ୍କୁ ବୀମାରେ ଅନ୍ତର୍ଭକୁକ୍ତ କରିବାକୁ ଦାବି କରାଯାଇଛି । ସେହିପରି ବିଭିନ୍ନ ଗୋଷ୍ଠିର କଲ୍ୟାଣ ପାଣ୍ଠିକୁ ସରକାର ବୃଦ୍ଧି କରୁଥିବା ବେଳେ ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବାକୁ ଦାବି କରାଯାଇଛି । ପ୍ରକାଶ ଥାଉକି, ଏଥି ପାଇଁ ବରିଷ୍ଠ ସାମ୍ବାଦିକଙ୍କ ସ୍ୱାକ୍ଷର ସଂଗ୍ରହ କରି ବିଧାୟକ, ମନ୍ତ୍ରୀ, ସୂଚନା ଓ ଲୋକସଂପର୍କ ଉପଦେଷ୍ଟାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ସବୁ ସାମ୍ବାଦିକ ସରକାରଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ବୋଲି ଡ଼ ସାହୁ କହିଛନ୍ତି ।