କେୱାଇସି ଅପଡେଟ ନାଁ ରେ ସାଇବର ଠକେଇର ଶିକାର ହେଲେ ଯୁବକ

ମାହାଙ୍ଗା ୧୩/୦୩/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ହଠାତ ବ୍ୟାଙ୍କରୁ ଆସିଲା କଲ। ଫୋନ ବି ରିସିଭ କଲେ ଯୁବକ ଜଣକ । ସେପଟୁ କେହିଜଣେ କହିଲେ – ଆପଣଙ୍କ କେୱାଇସି ଅପଡେଟ କରନ୍ତୁ। ବ୍ୟାଙ୍କକୁ ନଆସି ଏକ ଲିଙ୍କ ମାଧ୍ୟମରେ  କେୱାଇସି  ଅପଡେଟ କରାଇନିଅନ୍ତୁ । ଏହା ଥିଲା ସାଇବର ଠକର ଚାଲାକି । ହେଲେ ଅବିକଳ ବ୍ୟାଙ୍କ ଆପ ଭଳି ଇଣ୍ଟରଫେସ ଥିବା ଲିଙ୍କ  ଖୋଲିବା ପରେ,ଯୁବକ ଜଣକ ମଧ୍ୟ ଜାଣି ପାରିନଥିଲେ ଯେ  ସେ ଠାକାମୀର  ଶିକାର ହେଉଛନ୍ତି ବୋଲି। ଲିଙ୍କ ଖୋଲି ଯାହା ଯାହା ଇନପୁଟ ମାଗିଲା, ସବୁ ଦେଇଦେଲେ ଆଉ ତା ପରେ ତାଙ୍କ ବ୍ୟାଙ୍କ ଖାତାରୁ କଟିଗଲା ୫ ଲକ୍ଷ ୨୦ ହଜାର ୯୯୯ଟଙ୍କା।

ଏଭଳି ଏକ ଠକାମୀର ଶିକାର ହୋଇଛନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁ ର ଅନନ୍ତ କୁମାର ମହାରଣା। ଗତ  ୧୧ ତାରିଖ ସନ୍ଧ୍ୟା ସମୟରେ ଅନନ୍ତଙ୍କୁ ଏକ ଫୋନ କଲ ଆସିଲା।  ତାଙ୍କର ଏକାଉଣ୍ଟ ଥିବା ଏକ ଘରୋଇ ବ୍ୟାଙ୍କରୁ ଏହି କଲ କରାଯାଇଛି ଏବଂ ତାଙ୍କର କେୱାଇସି ଅପଡେଟ କରିବା ପାଇଁ କୁହାଗଲା । ଅନନ୍ତ ବ୍ୟାଙ୍କକୁ ଯାଇ କେୱାଇସି ଅପଡେଟ କରିବେ ବୋଲି କହିବାରୁ ତାଙ୍କୁ ବ୍ୟାଙ୍କ ନଆସିମଧ୍ୟ କେୱାଇସି ଅପଡେଟ ହୋଇପାରିବ ବୋଲି କୁହାଗଲା । ଏହାପରେ ଏକ ଲିଙ୍କ ମାଧ୍ୟମରେ ଅନଲାଇନ ଅପଡେଟ କରିବା ପାଇଁ ଆନନ୍ତଙ୍କ ନିକଟକୁ ଏହି ଲିଙ୍କ ପଠାଗଲା। ଆଉ ତାପରେ ସେହି ଲିଙ୍କରେ ଯାଇ ଅନନ୍ତ କେୱାଇସି ଅପଡେଟ କରି ରାତିରେ ଶୋଇପଡିଥିଲେ । ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ଏକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଛି। ଏନେଇ ଅନନ୍ତ ସାଇବର ଥାନାରେ ମଧ୍ୟ ଏତେଲା ଦେଇଛନ୍ତି। ସାଇବର ଠକ ମାନେ କିପରି ମୁହୂର୍ତ୍ତକ ଭିତରେ ବ୍ୟାଙ୍କର ଗ୍ରାହକ ମାନଙ୍କୁ ଚୂନ ଲଗାଇ ଲକ୍ଷଲକ୍ଷ ଟଙ୍କା ଲୁଟି ନେଉଛନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ମାହାଙ୍ଗାର ଅନନ୍ତଙ୍କ କ୍ଷେତ୍ରରେ ଘଟିଛି ।

Leave a Reply

Your email address will not be published. Required fields are marked *