ଗୋଠେଶ୍ୱର ପର୍ଯ୍ୟଟନସ୍ଥଳୀରେ ଅଷ୍ଟାଦଶ ବାର୍ଷିକ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଉଦଯାପିତ

ଗରଦପୁର,୧୧/୦୩/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ନଡିଆବରାଇ ଠାରେ ଥିବା ପର୍ଯ୍ୟଟନସ୍ଥଳୀ ଶ୍ରୀଶ୍ରୀ ଗୋଠେଶ୍ୱର ମହାଦେବଙ୍କ ପୀଠରେ ଚଳିତବର୍ଷ ଅଷ୍ଟାଦଶ ବାର୍ଷିକ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଗତ ୫ ତାରିଖ ଦିନ ଅଙ୍କୁରାରୋପଣ କରାଯାଇଥିବାବେଳେ ୬ ତାରିଖରେ ଚିତ୍ରୋତ୍ପଳା ନଦୀରୁ କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ଅଗ୍ନୀସ୍ଥାପନ କରାଯାଇଥିଲା । ୭ ତାରିଖ ଦିନ ପ୍ରଭାତ ବନ୍ଦନା, ସୂର୍ଯ୍ୟପୂଜା, ଗୋପୂଜା, ଯଜ୍ଞାହୂତି ସହିତ ଭଜନ ପରିବେଷଣ କରାଯାଇଥିଲା । ଶିବରାତ୍ରୀ ଦିନ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂର୍ଣ୍ଣାହୂତି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପୂର୍ଣ୍ଣାହୂତି ସମୟରେ ଗ୍ରାମ ସହିତ ଆଖପାଖ ଗ୍ରାମର ଶହ ଶହ ଭକ୍ତ, ଶ୍ରଦ୍ଧାଳୁ ଉପସ୍ଥିତ ରହି ଧୂପ, ଦୀପ, ନଡିଆ, କଦଳୀ, ଘିଅ ଇତ୍ୟାଦି ଯଜ୍ଞ ନାରାୟଣଙ୍କୁ ପ୍ରଦାନ କରି ନିଜ ମନୋବାଞ୍ଝା ପୂରଣ ପାଇଁ ପ୍ରାର୍ଥନା କରିଥିଲେ । ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଏହି ଉତ୍ସବରେ ଗୋଠେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଉଜାଗର ରହି ଘିଅ ଦୀପ ଜାଳିବା ସହିତ ମହାଦେବଙ୍କ ମନ୍ତ୍ର ପଢୁଥିବା ଦେଖାଯାଇଥିଲା । ସମସ୍ତ ନୀତିକାନ୍ତି ପରେ ମନ୍ଦିର ଉପରକୁ ମହାଦୀପ ଉଠିଲାବେଳେ ଭକ୍ତ ଶ୍ରଦ୍ଧାଳୁମାନେ ମହାଦୀପ ଦେଖି କୃତାର୍ଥ ହୋଇଥିଲେ । ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ବିଜେଡି ନେତା ରବି ସାମଲ, ସମାଜସେବୀ ଅଜୟ ରାଉତ, କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ସରପଂଚ ସନ୍ତୋଷ ମାହାଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଆସି ଗୋଠେଶ୍ୱରଙ୍କ ଆଶିଷ ଭିକ୍ଷା କରିଥିଲେ । ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ସତ୍ୟବ୍ରତ ପରିଜା ଏବଂ ତାଙ୍କ ଧର୍ମପତ୍ନୀଉତ୍କଳିକା ପରିଜା କର୍ତାକର୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଗୋଠେଶ୍ୱର ଉନ୍ନୟନ ପରିଷଦର କର୍ମକର୍ତା, ନଡିଆବରାଇ ଓ ଓସ୍ତପୁର ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *