ଗରଦପୁର,୧୧/୦୩/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ପାଖଡ ଗ୍ରାମ ପଂଚାୟତର ପାଟସୁରା ସ୍ଥିତ ଦାରୁ ବ୍ରହ୍ମ ସଙ୍ଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଯେ୍ୟାଧନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରତିଷ୍ଠାତା ବିଚିତ୍ରାନନ୍ଦ ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ସମାଜସେବୀ ମନିଷା ପଣ୍ଡା ଯୋଗଦେଇ ଏହି ସଙ୍ଗୀତ ମହାବିଦ୍ୟାଳୟ ସ୍ଥାନୀୟ ଅଂଚଳରେ ଏକ ଆଲୋକବର୍ତିକା ରୂପେ ଉଭା ହୋଇଛି । ସଙ୍ଗୀତ ମଣିଷକୁ ମାନସିକ ଶାନ୍ତି ଦେଉଥିବାରୁ ସଂଗୀତ ଶିକ୍ଷା କରି ଜଣେ ଭଲ ମଣିଷ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ କାନୁନଗୋ ଶଶୀଭୂଷଣ ମହାନ୍ତି ଯୋଗଦେଇ ଏହି ଅନୁଷ୍ଠାନକୁ ଗଢି ତୋଳିବାରେ ଉଦ୍ୟମ କରିଥିବା ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇଥିଲେ । ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଆଦିକନ୍ଦ ଲେଙ୍କା ସଂଗୀତ ମହାବିଦ୍ୟାଳୟର ଇତିବୃତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ଉଦଯାପନୀ ସଙ୍ଗୀତ ଗାନ କରାଯାଇଥିଲା । ଶିକ୍ଷକ ବିମଳ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିବାବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଦାରୁବ୍ରହ୍ମ ସଙ୍ଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
