କେନ୍ଦ୍ରାପଡାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

କେନ୍ଦ୍ରାପଡ଼ା, ୦୯/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍ ବିଶ୍ୱଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୩୪୪୫ ଗୋଟି ପଞ୍ଜିକୃତ ମାମଲା ମଧ୍ୟରୁ ୨୪୫୫ ଗୋଟି ମାମଲାର ସମାଧାନ କରାଯାଇ ମୋଟ ୧,୩୫,୫୬,୦୪୯ (ଏକ କୋଟି ପଇଁତିରିଶ ଲକ୍ଷ ଛପନ ହଜାର ଅଣଚାଶ) ଟଙ୍କା ଜୋରିମାନା ବାବଦରେ ଅର୍ଥରାଶି ଆଦାୟ କରାଯାଇଛି । କେନ୍ଦ୍ରାପଡା ସିଭିଲ କୋର୍ଟ ସମେତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଉପରୋକ୍ତ ମୋକଦ୍ଧମାର ଫଇସଲା କରାଯାଇଥିଲା । ଟଙ୍କା ପୁନରୁଦ୍ଧାର ମାମଲା ୧୨୯ଟି ମଧ୍ୟରୁ ୧୬ଟି ଫଇସଲା କରାଯାଇ ୪୨,୯୦,୭୧୧ ଟଙ୍କା, ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ୨୨ଟିରୁ ୧୫ଟି ଫଇସଲା କରାଯାଇ ୮୭,୫୫,୦୦୦/- ଟଙ୍କା ଏବଂ ବିଭିନ୍ନ ରାଜସ୍ୱ ଅଧିକାରୀଙ୍କ ନିକଟରେ ଥିବା ରାଜସ୍ୱ ୨୨୮୧ଟି ମାମଲା ମଧ୍ୟରୁ ୨୦୪୫ଟି ମାମଲା ଫଇସଲା କରାଯାଇ ୫,୧୦,୩୩୮ ଟଙ୍କା ଅର୍ଥରାଶି ଆଦାୟ କରାଯାଇଥିଲା । ସେହିପରି କଚେରୀରେ ଦାୟର ହୋଇ ନଥିବା ପ୍ରାକ୍ ମୋକଦ୍ଧମା ମାମଲା ବ୍ୟାଙ୍କ ଋଣ ବିବାଦ ୩୧୨୯ ପଞ୍ଜିକୃତ ମାମଲାରୁ ୬୯୪ ଗୋଟି ମାମଲା ସମାଧାନ କରାଯାଇ ୩,୨୧,୦୨,୪୨୯ ଟଙ୍କା ଅର୍ଥରାଶି ଆଦାୟ ହୋଇଥିଲା । ଆଜିର ରାଷ୍ଟ୍ରୀୟ ଲୋକ ଅଦାଲତରେ ସାଲିସ ଯୋଗ୍ୟ ମାମଲା, ଚେକ୍ ବାଉନ୍ସ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ବିବାଦ ଜନିତ ମାମଲା, ବିଦୁ୍ୟତ୍ ଓ ଜଳବିଲ୍ ପୈଠ, ଜମି ଅଧିଗ୍ରହଣ ମାମଲା, ବୈବାହିକ ବିବାଦ, ରାଜସ୍ୱ, ଫୌଜଦାରୀ, ଖାଉଟି ବିବାଦ, ବ୍ୟାଙ୍କ ଋଣ ଆଦି ମାମଲାଗୁଡିକର ଫଇସଲା ବିଚାରପତିମାନେ କରିଥିଲେ । କେନ୍ଦ୍ରାପଡା ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ବିକାଶ ଚନ୍ଦ୍ର ଦେ, ଏଡିଜେ ଅଜୟ କୁମାର ପ୍ରଧାନ, ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ ପୂଜା ଷଡଙ୍ଗୀ, ସିନିୟର ସିଭିଲ ଜଜ୍ ଅନ୍ନପୂର୍ଣ୍ଣା ନାୟକ ଓ ଆଲୋକମୟୀ ପ୍ରଧାନ, ଅତିରିକ୍ତ ସିନିୟର ସିଭିଲ ଜଜ୍ ସ୍ନିଗ୍ଧା ପଣ୍ଡା, ସିଭିଲ ଜଜ୍ କୁମାର ସ୍ପନ୍ଦନ, ଏସ୍ଡିଜେଏମ୍ ଲିପାପୁଷ୍ପା ଖୁଂଟିଆ, ଜେଏମଏଫସି ଅମିତ କୁମାର ବେହେରା, ଡି.କେ. ବାଲକ୍ରିଷ୍ଣନ, ଇପ୍ସିତାପ୍ରିୟା ଏକ୍କା ପ୍ରମୁଖ ଯୋଗ ଦେଇଥିଲା ବେଳେ ଜିଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ତତ୍ୱାବଧାନରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହାବ୍ୟତୀତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ମଧ୍ୟ ବିଚାରପତିମାନେ ଯୋଗଦେଇ ମାମଲାଗୁଡିକୁ ଫଇସଲା କରିଥିଲେ ।

Leave a Reply

Your email address will not be published. Required fields are marked *