କଟକର ବାଲିଯାତ୍ରା ଓ ବରଗଡ଼ର ଧନୁଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ପ୍ରସଙ୍ଗରେ କେନ୍ଦ୍ରର ଟାଳଟୁଳ ନୀତି ଓଡ଼ିଶା ପ୍ରତି ବୈମାତୃକ ମନୋଭାବର ଅନ୍ୟ ଏକ ନମୂନା – ସମାଜବାଦୀ ପାର୍ଟି

ଭୁବନେଶ୍ୱର,୨୩/୧୧/୨୦୨୩ (ଓଡ଼ିଶା ସମାଚାର)-କଟକ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବାପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ମନା କରିଦେବା ଓଡ଼ିଶାର ସ୍ୱାଭିମାନ ପ୍ରତି ଏକ ବଡ଼ ଆହ୍ୱାନ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରିଛି  । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି କଟକର ବାଲିଯାତ୍ରା ଓ ବରଗଡ଼ର ଧନୁଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବାପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବାକୁ ଏକ ଚିଠି ଲେଖିଛନ୍ତି  । ଏହି ପ୍ରସଙ୍ଗରେ ଓଡ଼ିଶାର ବିଧାନସଭାରେ ଏକ ସର୍ବସମ୍ମତ ମତ ଅନୁମୋଦନ କରି କେନ୍ଦ୍ର ସଂସ୍କୃତି ବିଭାଗକୁ ଏହି ପ୍ରସଙ୍ଗରେ ପ୍ରସ୍ତାବ ପଠାଇବାକୁ ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି  । ଆସନ୍ତା ଡିସେମ୍ବର ୪ ତାରିଖରୁ ଆରମ୍ଭ ହେଉଥିବା ପାର୍ଲାମେଂଟ ଅଧିବେଶନ ସମୟରେ ରାଜ୍ୟର ସାଂସଦମାନେ ଦଳମତ ନିର୍ବିଶେଷରେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି  ।

            ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ବହୁବାର ତାଙ୍କ ବକ୍ତବ୍ୟରେ କଟକର ବାଲିଯାତ୍ରାକୁ ଐତିହାସିକ ରୂପେ ବର୍ଣ୍ଣନା କରିବା ସହିତ ଏହାର ଆନ୍ତର୍ଜାତିକ ଗୁରୁତ୍ୱକୁ ବାରମ୍ବାର ଘୋଷଣା କରିଛନ୍ତି  । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏହି ବକ୍ତବ୍ୟ ପରେ ମଧ୍ୟ କେନ୍ଦ୍ର ସଂସ୍କୃତି ବିଭାଗ କଟକର ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବାପାଇଁ ମନା କରିଦେଇଛନ୍ତି  । ଏହା କେନ୍ଦ୍ର ସଂସ୍କୃତି ବିଭାଗର ଓଡ଼ିଶାର ସଂସ୍କୃତି ପ୍ରତି ଅନାଦର, ଉପେକ୍ଷା ଓ ବୈମାତୃକ ମନୋଭାବର ଅନ୍ୟତମ ଉଜ୍ଜଳ ଉଦାହରଣ କହିଲେ ଅତୁ୍ୟକ୍ତି ହେବନାହିଁ  । ଓଡ଼ିଆ ଜାତିର ସ୍ୱାଭିମାନ ଦୃଷ୍ଟିରୁ କଟକର ଐତିହାସିକ ବାଲିଯାତ୍ରାକୁ  ଐତିହ୍ୟ ମାନ୍ୟତା ଦେବାପାଇଁ ଓଡ଼ିଶା ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି  ।

            ସେହିଭଳି ବରଗଡ଼ର ଧନୁଯାତ୍ରା ସମଗ୍ର ଭାରତ ବର୍ଷରେ ଏକ ସର୍ବବୃହତ ଐତିହାସିକ ଖୋଲାମ ଥିଏଟର ଏହି ଦୁଇ ସାଂସ୍କୃତିକ ଓ ବାଣିଜି୍ୟକ ମେଳାକୁ ରାଜ୍ୟର ଗୌରବଭାବରେ କେନ୍ଦ୍ର ସଂସ୍କୃତି ବିଭାଗ ଐତିହ୍ୟ ମାନ୍ୟତା ଦେବାପାଇଁ କେନ୍ଦ୍ର ସରକାରଙ୍କ ପାଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ ଦାବି ଉପସ୍ଥାପନ କରିବାକୁ ସମାଜବାଦୀ ପାର୍ଟି ଅନୁରୋଧ କରିଛି  ।

Leave a Reply

Your email address will not be published. Required fields are marked *