ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ  ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବାଧ୍ୟ କରାନଯାଉ – ପିଷ୍ଟା

ଭୁବନେଶ୍ୱର,୨୩/୧୧/୨୦୨୩ (ଓଡ଼ିଶା ସମାଚାର)- ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧିନରେ ଗଣଶିକ୍ଷା ବିଭାଗ ମେଧାବୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଏକ ଅଭିନବ ପ୍ରୟାସ କରାଯାଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ପୁରସ୍କୃତ କରାଯିବ । ପ୍ରାଥମିକ ବିଦ୍ୟାଳୟର ମୋଧବୀ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷକମାନଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ । ଏଥିପାଇଁ  www.msp.odisha.gov.in ୱେବ୍ ସାଇଟରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆବେଦନ କରିବାକୁ ପଡ଼ିବ । ମେଧାବୀ ଶିକ୍ଷକ, ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରିବା ଗଣଶିକ୍ଷା ବିଭାଗର ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହି ପୁରସ୍କାର ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆବେଦନ କରିବାକୁ ବାଧ୍ୟ କରାନଯାଉ । ବିଭିନ୍ନ ବ୍ଲକ ଓ ଜିଲାରେ ଶିକ୍ଷା ଅଧିକାରୀମାନେ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଆବେଦନ କରିବାକୁ ବାଧ୍ୟ କରୁଛନ୍ତି ଏବଂ ଯିଏ ଚଳିତ ମାସ ୨୪ ତାରିଖ ସୁଦ୍ଧା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ନିମନ୍ତେ ଆବେଦନ ନକରିବେ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି ମୌଖିକ ଧମକ ଦିଆଯାଉଛି । ଶିକ୍ଷା ଅଧିକାରୀମାନଙ୍କ ଏଭଳି ଧମକକୁ ‘ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା’ (ପିଷ୍ଟା) ତରଫରୁ ନିନ୍ଦା କରାଯାଇଛି । ଯଦି ଗଣଶିକ୍ଷା ବିଭାଗ ତରଫରୁ ପୁରସ୍କାର ଦିଆଯିବାର ଅଛି, ତେବେ କୌଣସି ଏକ ସଂସ୍ଥା କିମ୍ବା ବିଭାଗ ନିଜ ତରଫରୁ ମେଧାବୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ରାଜ୍ୟରୁ ଖୋଜି ସେମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଦେବାକୁ ପିଷ୍ଟାର ସଭାପତି ବ୍ରହ୍ମାନନ୍ଦ ମହାରଣା ଦାବି କରିଛନ୍ତି । ଯିଏ ପୁରସ୍କାର ପାଇବ ସିଏ ଆବେଦନ କରିବ ଏହା ଅଯୁକ୍ତିକ ଓ ଅସଂଗତ ଅଟେ ବୋଲି ଶ୍ରୀ ମହାରଣା କହିଛନ୍ତି ।

ପ୍ରାଥମିକ ଶିକ୍ଷକମାନେ ଏକବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସେମାନଙ୍କର ମୌଳିକ ଦାବି ଯଥା ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ କରି ନିୟମିତ ଶିକ୍ଷକ ନିଯୁକ୍ତି, କେନ୍ଦ୍ରୀୟ ହାରରେ ଦରମା, ଏକ୍ସ-କ୍ୟାଡ଼ର ଉଚ୍ଛେଦ, ଗଣଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ କରିବା, ୬ ଓ ୮ ବର୍ଷର ଶିକ୍ଷା ସହାୟକ କାର୍ଯ୍ୟକାଳକୁ ଇନକ୍ରିମେ ଦେଇ ମୂଳ ଚାକିିରିରେ ଗଣନା କରିବା, କଳାକ୍ରିଡ଼ା ଶିକ୍ଷକମାନଙ୍କ କ୍ୟାରିୟର ଆଡ଼ଭାନ୍ସମେ ପଲିସି ନିର୍ଦ୍ଧାରଣ କରିବା ଓ ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଦାବୀରେ ଆନ୍ଦୋଳନ କରିଥିଲେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ ପୂରଣ କରାଯାଇନଥିବା ବେଳେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆବେଦନ କରିବାକୁ ବାଧ୍ୟ କରିବା ଯୋଗୁ ଶିକ୍ଷକମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଶିକ୍ଷକମାନଙ୍କ ମୌଳିକ ଦାବି ତୁରନ୍ତ ପୂରଣ କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା (ପିଷ୍ଟା) ଦାବି କରିଛି । ଶିକ୍ଷକ ଶିକ୍ଷୟତ୍ରୀମାନେ ପୁରସ୍କାର ପାଇଁ ନିଜେ ଆବେଦନ ନକରି ବରଂ ଗଣଶିକ୍ଷା ବିଭାଗ ତରଫରୁ ମେଧାବୀ ଶିକ୍ଷକ ଓ ଶିକ୍ଷୟତ୍ରୀ ସର୍ବେକ୍ଷଣ କରି ସେମାନଙ୍କୁ ପୁରସ୍କାର ଦେବାକୁ ପିଷ୍ଟା ତରଫରୁ ବିକଳ୍ପ ପ୍ରସ୍ତାବ ଦିଆଯାଇଛି ।

Leave a Reply

Your email address will not be published. Required fields are marked *