କେନ୍ଦ୍ରାପଡ଼ା, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)-ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରିବାରେ ଅବହେଳା ଯୋଗୁଁ ଆଜି ଜିଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଓ ପ୍ରତାପ କୁମାର ମହାନ୍ତି ଜିଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ଅନୁଯାୟୀ କେତେକ ତଥ୍ୟ ପ୍ରଦାନ ନିମନ୍ତେ ଯଥାକ୍ରମେ ଗତ ୧୨.୦୮.୨୦୨୩ ଓ ୧୪.୦୯.୨୦୨୩ରିଖରେ ଆବେଦନ କରିଥିଲେ । କିନ୍ତୁ ଉଭୟ ଆବେଦନର ଏକମାସରୁ ଉଦ୍ଧ୍ୱର୍ ସମୟ ଅତିକ୍ରମ ହୋଇଯିବା ପରେବି ସଂପୃକ୍ତ ଜନ ସୂଚନା ଅଧିକାରୀ ତଥ୍ୟ ପ୍ରଦାନ ନକରିବାରୁ ଆବେଦନକାରୀ ପ୍ରଥମ ଆପିଲେଟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ଏହାପରେ ପ୍ରଥମ ଆପିଲେଟ ଅଥରିଟିଙ୍କ ଦ୍ୱାରା ସେହି ଆବେଦନର ଶୁଣାଣି ନକରାଯାଇ ଆବେଦନକାରୀଙ୍କୁ ୩ମାସ ପରେ ଟଙ୍କା ଜମା କରିବାକୁ ଚିଠି କରାଯାଇଛି । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଆବେଦନକାରୀ ବାରମ୍ବାର ସାକ୍ଷାତ କରି ନିରାଶ ହେବା ପରେ ଆଜି ସେହି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖାଯାଇଛି । ଏହି ଧାରଣାରେ ଆବେଦନକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ, ପ୍ରତାପ କୁମାର ମହାନ୍ତି, ଭାଗୀରଥି ଜେନା ପ୍ରମୁଖ ବସି ରହିଥିବା ଦେଖାଯାଇଛି ।
