ଡବ୍ଲୁ.ଟି.ଓ.ରୁ ଓହରି ଆସିବା ଦାବିରେ କିଷାନ ମୋର୍ଚ୍ଚାର ଆନ୍ଦୋଳନ

କେନ୍ଦ୍ରାପଡ଼ା, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ଚାଷୀ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିରେ ଦେଶର ଚାଷୀମାନେ ଦୀର୍ଘ ବର୍ଷଧରି ଦାବି କରୁଛନ୍ତି । ସରକାର ଏଥିଲାଗି ସୁପାରିସ କରିଥିବା ଏମ୍. ଏସ୍. ସ୍ୱାମୀ ନାଥନ୍ ଙ୍କୁ ଭାରତରତ୍ନ ଦେଇ ପ୍ରଶଂସା ନେବାକୁ ଉଦ୍ୟମ କରୁଥିବା ବେଳେ ଡବ୍ଲ୍ୟୁ. ଟି. ଓ. ନିର୍ଦ୍ଧେଶରେ ଏହି ଆଇନ ପ୍ରଣୟନ ନକରିବା ପାଇଁ ବଦ୍ଧ ପରିକର । ସେଇଥିପାଇଁ ରାଜଧାନୀ ଦିଲ୍ଲୀକୁ ଆନ୍ଦୋଳନ କରିବାକୁ ଆସୁଥିବା ଚାଷୀମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶରେ ହରିୟାନା ପୋଲିସ ଅକଥନୀୟ ଅତ୍ୟାଚାର କରୁଛି । ଏହାର ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଆଜି ଆବୁଧାବିଠାରେ ଡବ୍ଲ୍ୟୁ. ଟି. ଓ. ର ହେଉଥିବା ତ୍ରୟୋଦଶ ମନ୍ତ୍ରୀ ସ୍ତରୀୟ ବୈଠକ ଅବସରରେ ଦେଶବ୍ୟାପୀ ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ କିଷାନ ମୋର୍ଚ୍ଚା ପକ୍ଷରୁ ସହରର ତିନିମୁହାଣୀ ଠାରେ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ସଂଗଠନର ଜିଲା ଆବାହକ ମଣ୍ଡଳୀ ସଦସ୍ୟ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସିପିଆଇ ଜିଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ଓଡିଶା କ୍ରୁଷକ ସଭା ସମ୍ପାଦକ ବିଜୟ ଦାସ, ଶ୍ରମିକ ନେତା ପ୍ରକାଶ ମହାନ୍ତି, ଦାସରଥି ସାହୁ, ଭାଗିରଥି ଜେନା, ଅମୀୟ ନାୟକ, ଶ୍ରୀଧର ମହାନ୍ତି, ଶତ୍ରୁଘ୍ନ ରାଉତ, କୁଳମଣି ଦାସ, ଅଜୟ ସାମଲ ପ୍ରମୁଖ ଦାବି ସପକ୍ଷରେ ବକ୍ତବ୍ୟ ରଖି ଦାବି ପୁରଣ ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *