ଜିଲ୍ଲାର ମୋଟ ୧,୨୧,୪୦୧ ଚାଷୀ ହେଲେ ଲାଭାନ୍ବିତ
ଜଗତସିଂହପୁର,୨୪/୦୨/୨୦୨୫ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ରାଜ୍ୟର ଭାଗଲପୁର ସହରଠାରେ ଆୟୋଜିତ ପିଏମ କିସାନ ସମ୍ମାନନିଧିର ୬ ବର୍ଷ ପୂର୍ତ୍ତି ସମାରୋହରେ ଦେଶର ୯କୋଟି ୮ ଲକ୍ଷ ଚାଷୀଙ୍କୁ ୨୨ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ, ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ପ୍ରମୁଖ ମଞ୍ଚାସୀନ ଥିଲେ ।

ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କୃଷକ ମାନଙ୍କ ବିକାଶରେ ଏକ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ ବୋଲି କହିଥିଲେ। ଜିଲ୍ଲାରେ ମାଛ ଚାଷ କିପରି ଭାବେ ବୃଢି ପାଇବ, ବନ୍ଦର, ପର୍ଯ୍ୟଟନ ସ୍ଥଳୀ,ଶିଳ୍ପର ବିକାଶ ସାଧନ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲା ପ୍ରଶାସନ ର ସହଯୋଗ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମାଧ୍ୟମରେ ଦେଶର ଅର୍ଥନତିକ ଅଭିବୃଦ୍ଧି ସହ ସାମଗ୍ରିକ ବିକାଶ ଦୁଇ ଗୁଣିତ ହେବ ବୋଲି କହିଥିଲେ।
ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ଭାଗଲପୁର ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ । ଜଗତସିଂହପୁର ଜିଲ୍ଲାର ମୋଟ ୧,୨୧,୪୦୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପି-ଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନି ଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, କେ.ଭି.କେ ବୈଜ୍ଞାନିକ,କୃଷି ଜିଲ୍ଲା ଅଧିକାରୀ,ଜଗତସିଂହପୁର,ତିର୍ତ୍ତୋଲ ବ୍ଲକ୍ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
