ଭୋଟପଡ଼ାରେ ୭୦ତମ ବାର୍ଷିକ ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ ଭଜନ ମହୋତ୍ସବ ଆୟୋଜିତ

ଭୁବନେଶ୍ୱର, ୨୪/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନେଶ୍ୱର ମହାନଗର ନିଗମର ଭୋଟପଡ଼ା ଗ୍ରାମରେ ଗ୍ରାମବାସୀମାନଙ୍କର ସହଯୋଗରେ ୭୦ତମ ବାର୍ଷିକ ତି୍ରନାଥ ମେଳା, ବିଶ୍ୱଶାନ୍ତି ମହାଯଜ୍ଞ ଅବସରରେ ଦୁଇ ଦିନିଆ ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ ଭଜନ ମହୋତ୍ସବ ଚଳିତ ଫେବୃୟାରୀ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଆଧ୍ୟାତ୍ମିକ ଭଜନତତ୍ୱ ଗବେଷକ, ଗୁରୁ ଅଜିତ୍ ଭୋଇ ବିଚାରକ ଭାବେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ମହୋତ୍ସବରେ ଗାୟକ ମୋହନ ଭୋଇ ଗାଡକଣ, ମିଟୁ ଦାସ-ପଳସୁଧା ଓ ଅଜିତ୍ ପ୍ରଧାନ – (ମାନସା)ପିପିଲି ଓ ତାଙ୍କ ଭଜନ ଗୋଷ୍ଠୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଗାୟକମାନେ ପଂଚସଖା ଅତିବଡ଼ି ଜଗନ୍ନାଥ ଦାସ, ମହାପୁରୁଷ ଅଚୁ୍ୟତାନନ୍ଦ ଦାସ, ଶିଶୁ ଅନନ୍ତ ଦାସ, ସଖା ବଳରାମ ଦାସ, ଯଶୋବନ୍ତ ଦାସଙ୍କ ସହିତ ବାହୁଡି ଦାସ, ବ୍ରହ୍ମାନନ୍ଦ ଦାସ, ପୂର୍ଣ୍ଣାନନ୍ଦ ଦାସ, ଭଗବାନ ଦାସ ଓ ସନ୍ଥକବି ଭୀମ ଭୋଇଙ୍କ ରଚିତ ଆଧ୍ୟାତ୍ମିକ ଶରୀରତତ୍ୱ ବ୍ରହ୍ମଜ୍ଞାନ ଭଜନ ସମ୍ବଳିତ ପ୍ରଶ୍ନ ପ୍ରତିପକ୍ଷ ପ୍ରତିଯୋଗୀ ଗାୟକମାନଙ୍କୁ ପଚାରି ତାହାର ଉତର ଲୋଡ଼ିଥିବା ବେଳେ ପ୍ରତିପକ୍ଷ ଗାୟକ ତାହାର ଉତର ପ୍ରଦାନ କରୁଥିଲେ ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମହାନଗରପାଳ ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରା, ପୂର୍ବତନ କର୍ପୋରେଟର ପ୍ରଣତି ନାୟକ, ବହୁ କର୍ପୋରେଟର, ସରପଂଚ, ଲୋକପ୍ରତିନିଧି, ମାନ୍ୟଗଣବ୍ୟକ୍ତି, ଆଖପାଖ ଗ୍ରାମର ମୁରବୀ, ଭଜନ କଳାକାର ଯୋଗଦେଇ ଉତ୍ସବର ଆନନ୍ଦ ଉପଭୋଗ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଓଡ଼ିଶାର ସଂସ୍କୃତି ସମ୍ପନ୍ନ ଭୋଇ ସମ୍ପ୍ରଦାୟ କର୍ମକ୍ଳାନ୍ତ ଜୀବନରେ ପ୍ରତି ସନ୍ଧ୍ୟାରେ ଖଞ୍ଜଣି ଭଜନ ସହ ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ ଭଜନ ପରିବେଷଣରେ ନିଜକୁ ନିୟୋଜିତ କରି ଗ୍ରାମେ ଗ୍ରାମେ ଆଧ୍ୟାତ୍ମିକ ଶରୀରତତ୍ୱ ବ୍ରହ୍ମଜ୍ଞାନ ଭଜନ ମହୋତ୍ସବ ଆୟୋଜିତ କରିଆସୁଛନ୍ତି । ଓଡ଼ିଶାର ଲୋକକଳା ବିକାଶରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି କଳାକୁ ଯୁବପିଢୀମାନେ ବଂଚାଇ ରଖିବା ଆବଶ୍ୟକ ବୋଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଦାଶରଥି ନାୟକ, ଜୟୀରାମ ବେହେରା, ଜଳନ୍ଧର ନାୟକ, ସହଦେବ ଭୋଇ, ମହେଶ୍ୱର ବେହେରା, ମାନସ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ । ଶେଷରେ ସମସ୍ତ କୃତି କଳାକାରମାନଙ୍କୁ ପୁରସ୍କୃତ କରାଯିବା, ସମସ୍ତ କଳାକାର, ଗ୍ରାମ ମୁରବି, ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ହରିବୋଲ ଉଚ୍ଚାରଣ କରି କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *