ଦେବଗଡ଼ ଜିଲ୍ଲା ନାଗରିକ କମିଟିର ବୌଦ୍ଧିକ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ

ଉନ୍ନତ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ବିକାଶର ପେଣ୍ଠସ୍ଥଳୀ ହେବ ଦେବଗଡ଼ – ଧର୍ମେନ୍ଦ୍ର ପ୍ରଧାନ

• “ଦେବଗଡ଼ ଜିଲ୍ଲାର ବର୍ତ୍ତମାନ ଓ ଭବିଷ୍ୟତ” ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ
• ଦେବଗଡରେ ସ୍ୱାସ୍ଥ୍ୟ ସମସ୍ୟା, ଶିଶୁଙ୍କ ଅପପୁଷ୍ଟି ଓ ରକ୍ତହୀନତା ସମସ୍ୟା ନେଇ ଚିନ୍ତାପ୍ରକଟ କଲେ
• ଦେବଗଡକୁ ଆଗକୁ ନେବା ପାଇଁ ନାଗରିକ କମିଟିକୁ ବିଭିନ୍ନ ଉପାଦେୟ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
• ଦେବଗଡରେ ସାଧାରଣ କୃଷି ଓ ଉଦ୍ୟାନ କୃଷିକୁ ଗୁରୁତ୍ୱ ଦେବା
• ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ସାମଗ୍ରୀ ଉତ୍ପାଦନ କରିବା
• ଯୁବପିଢିଙ୍କୁ ପର୍ବତ ଆହୋରଣର ତାଲିମ ଦେବା ପାଇଁ କଳ୍ପନା କରିବା
• ଦେବଗଡକୁ ଜ୍ଞାନ ଆଧାରିତ ଦୁନିଆ ସହ ଯୋଡିବା ପାଇଁ ପ୍ରଚେଷ୍ଟା କରିବା
• ଲଜିଷ୍ଟିକ ହବ୍ କରିବା ପାଇଁ ଯୋଜନା କରିବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ଼, ୨୪/୦୨/୨୦୨୪ (ଓଡ଼ିଶା ସମାଚାର)-ଉନ୍ନତ ଓ ଅତ୍ୟାଧୁନିକ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ଅପାର ସମ୍ଭାବନାର ଅଞ୍ଚଳ ଦେବଗଡ଼ ବିକାଶର ପେଣ୍ଠସ୍ଥଳୀ ହେବ ବୋଲି ଶନିବାର ଦେବଗଡ଼ରେ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ବୌଦ୍ଧିକ ଆଲୋଚନା ଚକ୍ରରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

“ଦେବଗଡ଼ ଜିଲ୍ଲା ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନା ଚକ୍ରରେ ମତ ରଖିବା ସହ କେନ୍ଦ୍ରମନ୍ତ୍ରୀ ଦେବଗଡ ଜିଲ୍ଲାରେ ମୋଦି ସରକାରରେ ହୋଇଥିବା ବିକାଶର କାମ କଥା କହିଥିଲେ । ଦେବଗଡରେ ଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଥିଲେ । ପରେ ଦେବଗଡର ଭବିଷ୍ୟତ ନେଇ ଆଅନେକ ପରାମର୍ଶ ଦେବା ସହ ନାଗରିକ କମିଟିର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଦେବଗଡ଼ ଜିଲ୍ଲା ହେଉଛି ଅପାର ସମ୍ଭାବନାର ଅଞ୍ଚଳ । ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ଦିଗରେ ଦେବଗଡ଼ର ଭୂମିକା ଅତୁଳନୀୟ । ଏହି ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଏଠାରେ ସାଧାରଣ କୃଷି ଓ ଉଦ୍ୟାନ କୃଷିକୁ ଗୁରୁତ୍ୱ ଦେବାକୁ ଦେବ । କୃଷି ପ୍ରଧାନ ଅଞ୍ଚଳ ଦେବଗଡରେ ଆଗାମୀ ଦିନରେ ସମଗ୍ର ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ସାମଗ୍ରୀ ଉତ୍ପାଦନ କରିବା ପାଇଁ ହେବ । ଚାଷୀଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ନୂଆ ପଦ୍ଧତିରେ ଚାଷ କାର୍ଯ୍ୟ ଶିଖାଇବା ପାଇଁ ହେବ । ଏଠାରେ ଯୁବପିଢିଙ୍କୁ ପର୍ବତ ଆହୋରଣର ତାଲିମ ଦେବା ପାଇଁ କଳ୍ପନା କରିବାକୁ ହେବ । ଏହା ଦ୍ୱାରା ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଦେବଗଡ଼ର ସର୍ବଙ୍ଗୀନ ବିକାଶ କରିବା ଆମର ଲକ୍ଷ୍ୟ ରହିଛି । ବର୍ତ୍ତମାନ ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଦେବଗଡକୁ ଜ୍ଞାନ ଆଧାରିତ ଦୁନିଆ ସହ ଯୋଡିବା ପାଇଁ ହେବ । ଲଜିଷ୍ଟିକ ହବ୍ କରିବା ପାଇଁ ଯୋଜନା କରିବାକୁ ପଡିବ । ସମାଜର ଅପେକ୍ଷା ଯୋଜନାବଦ୍ଧ ଭାବରେ ବ୍ୟବସ୍ଥା ପାଖରେ ପହଞ୍ଚାଇଲେ ହିଁ ଦେବଗଡର ଉନ୍ନତି ହେବ । ଏହି ଦାୟିତ୍ୱକୁ ନାଗରିକ କମିଟି ଗୁରୁତ୍ୱର ସହ ନିର୍ବାହ କରିବ । ସମାଜ ସେବେ ଠିକ୍ ହେବ ଯେତେବେଳେ ସମାଜର ଦକ୍ଷ ଲୋକମାନେ ସବୁ ଦିଗ ପ୍ରତି ଦୃଷ୍ଟି ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେବଗଡର ସମସ୍ୟା ନେଇ କହିଥିଲେ ଯେ ଦେବଗଡରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ଭୁଶୁଡି ପଡିଛି । ଜିଲ୍ଲାରେ ୨୧୧ଟି ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୩୭ଟି ପଦବୀ ଖାଲି ପଡିଛି । କେବଳ ୭୪ ଜଣ ଡାକ୍ତରରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ଚାଲିଛି । ସେହିପରି ଦେବଗଡରେ ୬ରୁ ୫୯ ମାସର ୬୧.୫ ପ୍ରତିଶତ ଶିଶୁ ରକ୍ତହୀନତାର ଶୀକାର । ୧୮ରୁ ୧୯ ବର୍ଷର ୭୨.୨ ପ୍ରତିଶତ କିଶୋରୀ   ରକ୍ତହୀନତାର ଶୀକାର । ଏ ନେଇ ଚିନ୍ତା ପ୍ରକଟ କରିବା ସହ ବିସ୍ଥାପିତଙ୍କ ସମସ୍ୟା, ଭୂମିହୀନଙ୍କୁ ଜମି, ଜଙ୍ଗଲ ଜମିର ଅଧିକାର ଓ ପଟ୍ଟା ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ ।

ମୋଦି ସରକାର ଦେବଗଡକୁ ଦେଇଥିବା ଅନୁଦାନ ଉପରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ  ଦେବଗଡ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୧୮୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୪,୭୮୦ଟି ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଦେବଗଡ଼ର  ପ୍ରାୟ ୨. ୬୩ ଲକ୍ଷ ଜଣଙ୍କୁ ମାସିକ ପାଞ୍ଚ କିଲୋ ଚାଉଳ ମାଗଣାରେ ଦେଇ ଖାଦ୍ୟ ସୁନିଶ୍ଚିତ କରାଯାଉଛି । ଦେବଗଡ଼ରେ  ଆନୁମାନିକ ୩.୪୦  କୋଟି ଟଙ୍କା ବ୍ୟୟରେ ମୋଟ ୨୧,୨୭୫ ପରିବାରକୁ ମାଗଣା ଏଲପିଜି  ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି । ଦେବଗଡ଼ରେ ସଡକ ଭିତ୍ତିଭୂମି ମଜଭୂତ୍ ସହ ରେଳକୁ ଯୋଡିବା ଏବଂ ପାଇପ ଯୋଗେ ଇନ୍ଧନ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଜିର ଆଲୋଚନାରେ ନାଗରିକ କମିଟିର ସଦସ୍ୟମାନେ ଦେବଗଡ଼ ଅଞ୍ଚଳର ବିକାଶ ପାଇଁ ଦେଇଥିବା ପ୍ରତିଟି ପରାମର୍ଶ ଗୁରୁତ୍ୱପୂର୍ଣ୍ଣ କରିବା ସହ ସମସ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *