କେନ୍ଦ୍ରାପଡ଼ା, ୨୧/୧୧/୨୦୨୪ (ଓଡ଼ିଶା ସମାଚାର)- ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଧେଶକ ଜି. ମାଥିଭାଥନନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ୧୬ଟି ବିଭାଗର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ, ପଂଚାୟତିରାଜ ଓ ପାନୀୟଜଳ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମଙ୍ଗଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ସମବାୟ, ସାମାଜିକ ସୁରକ୍ଷା, ଶକ୍ତି, ଶିଳ୍ପ, ସାଧାରଣ ଅଭିଯୋଗ ଆଦି ୧୬ଗୋଟି ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ପାୱାର ପଏନ୍ଟ ମାଧ୍ୟମରେ ନିଜନିଜ ବିଭାଗର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଜାତୀୟ ଖାଦ୍ୟ ମିଶନ, ଅନ୍ତୋଦୟ ଗୃହ ଯୋଜନା ଓ ପରିମଳ ବ୍ୟବସ୍ଥା, ସ୍ୱଚ୍ଛ ଭାରତ ମିଶନ, ହର ଘର ଜଳ, ବସୁଧା, ଜଳ ଜୀବନ ମିଶନ, ସେତୁ ବନ୍ଧନ ଯୋଜନା, ପଂଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ପିଏମଶ୍ରୀ ଯୋଜନା, ନିପୂଣ ଓଡ଼ିଶା, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ମଧୁବାବୁ ପେନସନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ତଥ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ପି.ପି.ଟି.ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ବିଜ୍ଞାପିତ ପରିଷଦ ନିକଟରେ ଥିବା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଗୃହକୁ ଗୃହ ଯାଇ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି । ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ଜିଲାରେ ଥିବା ଜଳକ୍ଳିଷ୍ଟ ଗ୍ରାମଗୁଡିକୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସେତୁ ବନ୍ଧନ ଯୋଜନା କାର୍ଯ୍ୟକାରୀ ସମୟରେ କଂଚାମାଲର ଅଭାବ, ବ୍ୟକ୍ତି ଗତ ଜମି, ଜୁଆରିଆ ଓ କୁମ୍ଭୀର ପ୍ରବଣ ନଦୀ ନାଳ ଏବଂ ମୃତିକା ସମସ୍ୟା ଦେଖାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର କାର୍ଯ୍ୟାବଳିକୁ ସମୀକ୍ଷା କରିବା ସହ ଯୋଜନାକୁ ସଫଳ ରୂପାୟନ ନିମନ୍ତେ ବାଧକ ସାଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଜିଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପି.ପି.ଟି. ଗୁଡିକ ସମ୍ପର୍କରେ ସେ ମତ ପୋଷଣ କରିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ସଫଳ ରୂପାୟନ ନିମନ୍ତେ ନିଆଯାଇଥିବା ପଦକ୍ଷପଗୁଡିକ ସନ୍ତୋଷଜନକ ଅଛି । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଇଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ନିର୍ିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ସହ ଏହାର ଉପକାରିତା ଲୋକାଭିମୁଖୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଧେଶ ଦେଇଥିଲେ । ସମୀକ୍ଷା ବୈଠକରେ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ଜିଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶନୀ, ଜିଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟା ସିନ୍ଧୁ ପରିଡା, ଡେପୁଟି କଲେକ୍ଟର, ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକ୍ଷଣ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ
