କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୩୭ତମ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା,୨୪/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ୩୭ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦ ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ଏହି ଦିବସର ତାତ୍ପର୍ଯ୍ୟ, ପ୍ରତିଷ୍ଠାତା ବ୍ୟକ୍ତିମାନଙ୍କର ବ୍ୟାଙ୍କ ଗଠନରେ ପ୍ରମୁଖ ଭୂମିକା ଓ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ପ୍ରତିଷ୍ଠାତା ସଭ୍ୟ ଡା. ବିଶ୍ୱପ୍ରକାଶ କାନୁନଗୋ, ଶିକ୍ଷାବୀତ ନନ୍ଦ କିଶୋର ପରିଡା, ପ୍ରାକ୍ତନ ନିର୍ଦେଶକ ପ୍ରଫୁଲ୍ଲ କୁମାର ସାହୁ, ଶରତ କୁମାର ବେହୁରା, ରବୀନ୍ଦ୍ର ନାଥ ଲେଙ୍କା, ଲକ୍ଷ୍ମୀକାନ୍ତ ମହାନ୍ତି, ଲିୟାକତ ଅଲ୍ଲୀ, ବିଶିଷ୍ଟ ବ୍ୟବସାୟୀ ଗୌରାଙ୍ଗ ଚରଣ ପଣ୍ଡା, ବ୍ୟାଙ୍କର ନିର୍ଦେଶକ ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ପ୍ରାକ୍ତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ କୁମାର ସାମଲ ପ୍ରମୁଖ ବ୍ୟାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ବକ୍ତବ୍ୟ ରଖି ସଂପ୍ରତି ସଭାପତିଙ୍କ ଦୃଢ ନେତୃତ୍ୱରେ ଆମ ବ୍ୟାଙ୍କ ନିଶ୍ଚିତ ଭାବରେ ରାଜ୍ୟର ଶ୍ରେଷ୍ଠ ଅର୍ବାନ ବ୍ୟାଙ୍କ ଭାବରେ ଉଭା ହେବା ନେଇ ଆଶାବାଦୀ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସଭାପତି ତାଙ୍କ ବକ୍ତବ୍ୟରେ ବ୍ୟାଙ୍କର ଅତୀତ, ବର୍ତମାନ ଓ ଭବିଷ୍ୟତ ବାବଦରେ ବିଷଦ ବିବରଣୀ ରଖିଥିଲେ ଏବଂ ସମସ୍ତଙ୍କ ସକ୍ରିୟ ସହଯୋଗ ରହିଲେ ଲୋକମାନଙ୍କର ଆଶା ଭରସା ନିଶ୍ଚିତ ଭାବରେ ସାକାର ହେବ ବୋଲି ଅଭିହିତ କରିଥିଲେ । ପରିଶେଷରେ ବ୍ୟାଙ୍କର ସାଧାରଣ ପରିଚାଳକ ରାଜୀବ ଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଅନେକ ଅଂଶୀଦାର ବନ୍ଧୁ, ଗ୍ରାହକ, ବୁଦ୍ଧିଜିବୀ, ଶୁଭେଛୁ ଓ ବ୍ୟାଙ୍କର ସମସ୍ତ କର୍ମଚାରୀ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *