ପାଠ ପଢିବାକୁ ଆସି ଛାତ୍ର ସାଜିଲେ ଶିଶୁ ଶ୍ରମିକ, ଭାଇରାଲ ଭିଡିଓକୁ ନେଇ ବୁଦ୍ଧିଜୀବୀଙ୍କ ଉଦବେଗ

ମାହାଙ୍ଗା,୨୪/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି ଆମ ସରକାର । ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁ – ଏଭଳି ନାରା ଦିଆଯାଇ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଭରପୁର ପ୍ରୟାସ କରୁଛି ଶିକ୍ଷା ବିଭାଗ । ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ ନାଁ’ରେ ସବୁଠି ପରିବର୍ତ୍ତନ ଓ ପ୍ରଗତିର ଛୁଆଁକୁ ନେଇ ତର୍କ ଆଉ ବିତର୍କର ଛକି ଶୂନ ଖେଳ ଚାଲିଛି । ହେଲେ ପାଠପଢା ଚୁଲିକୁ ଗଲାଣି । ପିଲାମାନେ ଶ୍ରେଣୀଗୃହ ଛାଡି ହାତରେ ଖାତା କଲମ ଧରିବା ବଦଳରେ ଫାଉଡା ଶାବଳ ଲୁହାକଡା ଧରିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ମହଲ । ମୁଣ୍ଡ ଉପରେ ସାଧାରଣ ନିର୍ବାଚନର ତାତି । ଠିକ୍ ଏତିକି ବେଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରମାନେ ହାତରେ ଫାଉଡା ଧରି,ବାଲି ଗୋଡି ଓ ସିମେଣ୍ଟ ଗୋଳେଇ ଲାଗିପଡିଛନ୍ତି କାର୍ୟ୍ୟରେ । ଏସବୁର ଭିଡିଓ ହେଉଛି ମୋବାଇଲରୁ ମୋବାଇଲକୁ ଭାଇରାଲ । ସରକାରୀ ନୀତି ନିୟମକୁ ଫୁ କରିଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ଘଟଣାଟି ଘଟିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଶବଳକଣା ସରକାରୀ ଉଚ୍ଚ ବିଦ୍ୟାପୀଠରେ । ବହି ବସ୍ତାନିକୁ କ୍ଲାସ ରୁମରେ ରଖି,ସ୍କୁଲ ହତା ଭିତରେ ଶ୍ରମିକ ସାଜିଛନ୍ତି ଛାତ୍ରମାନେ । ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ । ଏଠି ଗୋଡି-ସିମେଣ୍ଟ-ବାଲି ବି ଗୋଳା ଚାଲିଛି । ଛାତ୍ରଙ୍କ ହାତରେ କୋଡ଼ି ଫାଉଡା ଶାବଳ । ପୋତାଯାଇଥିବା ଲୁହାଖୁଣ୍ଟ ମୂଳରେ ମସଲା ଭରୁଛନ୍ତି ବିଦ୍ୟାର୍ଥୀ । ଏମାନେ ସମସ୍ତେ ଶିଶୁ,ସାଜିଛନ୍ତି ଶିଶୁ ଶ୍ରମିକ । ଏଠି ପ୍ରଶ୍ନ ଉଠୁଛି ଦଣ୍ଡମୁକ୍ତ ଅଂଚଳରେ କଅଁଳ ହାତରେ ଏପରି କାର୍ୟ୍ୟ କରିବାପାଇଁ,ଏମାନଙ୍କୁ କିଏ ଦେଲା ଅନୁମତି ? ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଘଟଣା ବାବଦରେ ପଚାରିବାକୁ ଉଦ୍ୟମ ହୋଇଥିଲେବି, କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ବେଆଇନ ଭାବେ ଏହି ବିଦ୍ୟାଳୟର ଛାତ୍ରଙ୍କୁ ଶିଶୁ ଶ୍ରମିକ ସଜେଇବା ଘଟଣାର ତଦନ୍ତହେବା ଓ କାର୍ୟ୍ୟାନୁଷ୍ଠାନହେବା ଜରୁରୀ ବୋଲି ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *