ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

ଜଗତସିଂହପୁର, ୧୯/୦୨/୨୦୨୪ (ଓଡ଼ିଶା ସମାଚାର)- ଶିକ୍ଷା ର ବିକାଶ ରେ ସମାଜ ର ବିକାଶ। ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ୫T ଉପକ୍ରମ ରେ ବିଭିନ୍ନ ପ୍ରୟାସ ଜାରିରହିଛି। ସେହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ର ଆହ୍ଵାନ  ‘ମିଳିବ ସମ୍ମାନ, ବଢିବ ଉତ୍ସାହ, ଆଣିବ ଆଗ୍ରହ’ ର ଦ୍ୱାହି ଦେଇ ଜିଲ୍ଲା ର ୧୪୭୫ ଜଣ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ କୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଶୁଦ୍ର ମୁନି ସାରଳାଦାସଙ୍କ ମାଟି ଜଗତସିଂହପୁର ସବୁବେଳେ ଶିକ୍ଷା କ୍ଷେତ୍ରରେ ଆଗୁଆ ବୋଲି କହିଥିଲେ।ଶ୍ରୀ ମୁଦୁଲି କହିଥିଲେ ଜଣେ ନେତା କେବଳ ଆଗାମୀ ନିର୍ବାଚନ କଥା ଭାବିଥାଏ, କିନ୍ତୁ ଜଣେ ସୁଯୋଗ୍ୟ ଜନନାୟକ ଆଗାମୀ ପୀଢି କଥା ଭାବିଥାଏ। ସେଥିପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫T ଉପକ୍ରମ ରେ ବିଦ୍ୟାଳୟ ଗୁଡିକ ର ରୁପାନ୍ତରିକରଣ କରି ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି ଯାହା ଓଡିଶା ର ସୁଯୋଗ୍ୟ ଶିକ୍ଷାର୍ଥୀ ମାନଙ୍କୁ ବ୍ରେନ ଡ୍ରେନ୍ ରୁ ରକ୍ଷା କରି ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ସହାୟ ହୋଇଛି। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ ଶିକ୍ଷା କ୍ଷେତ୍ରରେ ମହିଳା ମାନଙ୍କ ଉନ୍ନତି ର ପ୍ରସଂଶା କରି ମା ମାନଙ୍କୁ ପିଲା ର ପ୍ରଥମ ଗୁରୁ ଭାବେ ଅଭିହିତ କରିଥିଲେ। ଗୋଟିଏ ଛାତ୍ର ର ସାମଗ୍ରିକ ବିକାଶ ଦିଗରେ  ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଅଭିଭାବକ ମାନଙ୍କ ର ମଧ୍ୟ ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଜିଲ୍ଲା ରେ ୫ଞ ଅନ୍ତର୍ଗତ ବିଦ୍ୟାଳୟ ରୁପାନ୍ତରିକରଣ ଉପରେ ଆଲୋକପାତ କରି ଏହି ରୂପାନ୍ତରିତ ରୂପ କୁ ଯତ୍ନବାନ୍ ହୋଇ ଆଗାମୀ ପୀଢି ପାଇଁ ସାଇତି ରଖିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ରେ ପ୍ରଯୁକ୍ତି ବିଦ୍ୟା ଆଧାର ରେ ଦିଆଯାଇଥିବା ସ୍ମାର୍ଟ କ୍ଲାସ ରେ ଶିକ୍ଷା ଦାନ ନିମନ୍ତେ ସର୍ବଦା ନିଜକୁ ଅପଡେଟ ରଖି ଏହାର ସଦୁପଯୋଗ କରିବାକୁ ଜିଲ୍ଲାପାଳ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗାମୀ ମାଟ୍ରିକ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବାକୁ ଶ୍ରୀମତୀ ପଟାୱରି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ର ଅଭୁତପୂର୍ବ ସଫଳତା ନିମନ୍ତେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ  ଶିକ୍ଷା ପୁରସ୍କାର ଉତ୍ସବ ରେ ଜିଲ୍ଲା ଷ୍ଟୁଡେଣ୍ଟ ଏକାଡେମିକ ପୁରସ୍କାର ବର୍ଗ ରେ ୯୩ ଜଣ, ବ୍ଲକ୍ ଷ୍ଟୁଡେଣ୍ଟ ଏକାଡେମିକ ପୁରସ୍କାର ବର୍ଗ ରେ ୮୧୪ ଜଣ, ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ପାଇଁ ୪୮୬ ଜଣ, ବ୍ଲକ୍ ସ୍ତରୀୟ ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ ୨୪ ଟି, ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ପରିଚାଳନା କମିଟି ୮ ଟି, ବ୍ଲକ୍ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରେ ୫ ଜଣ,ବ୍ଲକ୍ ସ୍ତରୀୟ ପୁରାତନ ଛାତ୍ର ପରିଷଦ ବର୍ଗ ରେ ୭ ଜଣ ,ବ୍ଲକ୍ ସ୍ତରୀୟ ଏଲିମେଣ୍ଟାରୀ ବିଦ୍ୟାଳୟ ବର୍ଗ ରେ ୨୩ ଟି ବିଦ୍ୟାଳୟ, ବ୍ଲକ୍ ସ୍ତରୀୟ ଗ୍ରାମପଞ୍ଚାୟତ ବର୍ଗ ରେ ୭ ଜଣ ,ବ୍ଲକ୍ ସ୍ତରୀୟ ଏଲିମେଣ୍ଟାରୀ ଶିକ୍ଷକ ବର୍ଗ ରେ ୮ ଜଣ ଏହିପରି ମୋଟ ୧୪୭୫ ଜଣ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ର ମନୋନୀତ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଏହି ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର ସଭାର ଆଭିମୁଖ୍ୟ ବିଷୟ ରେ ବିବରଣୀ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ସମେତ ପଦରଜ ଉମାକାନ୍ତ ନାୟକ, ତ୍ରୈଲୋକ୍ୟ ନାଥ ବିଶ୍ବାଳ,ସୌଭାଗ୍ୟ ପ୍ରସାଦ ମିଶ୍ର, ତପନ କୁମାର ନନ୍ଦ, ଅମୂଲ୍ୟ କୁମାର ମିଶ୍ର ଏବଂ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ  ଙ୍କ ସହଯୋଗରେ ଆଜି ଏହି ପୁରସ୍କାର ପ୍ରଦାନ ସମାରୋହ ସଫଳତା ର ସହ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ, ସରପଞ୍ଚ, ସହରର ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *