କେନ୍ଦ୍ରାପଡାର ମାଟି ଓ ବାଲିକୁ ଜାତୀୟ ରାଜପଥରେ ବ୍ୟବହାର ନକରିବାକୁ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା,୨୩/୦୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ମାଟି ଓ ବାଲିକୁ ପାରାଦ୍ୱୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ ବ୍ୟବହାର କରାନଯିବା ପାଇଁ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ବିଧୂଭୁଷଣ ମହାପାତ୍ର ଜିଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରାପଡାରେ ୭ନଦୀ ୨୭ଉପନଦୀ ପ୍ରଚୁର ବାଲିଆ ଦୋରସା ସର୍ବୋକୃଷ୍ଟ ମାଟି ମହଜୁଦ ଅଛି ଯାହାକି ଚାଷ ପାଇଁ ସର୍ବୋତକୃଷ୍ଟ । ଏହି ମାଟିକୁ ମାଟି ମାଫିଆମାନେ ବେଆଇନ ନାଲିଇଟା ପକାଇ ନଷ୍ଟ କରୁଥିବା ସମୟରେ ଆର. ଆଇ, ବିଡିଓ ଏବଂ ତହସିଲଦାରମାନେ ନିରବଦ୍ରଷ୍ଟା ସାଜିଛନ୍ତି । ଚଳିତ ଦଶନ୍ଧିରେ ଅତି ଉଚ୍ଚ ରେଳପଥ ପାଇଁ ସିଂହଭାଗ ମାଟି ଓ ବାଲି ବ୍ୟବହାର କରି ହରିଦାସ-ପାରାଦ୍ୱୀପ ନୂଆ ରେଳପଥ ନିର୍ମାଣ ହୋଇଛି । ଯଦ୍ୱାରା ଡେରାବିଶ, କେନ୍ଦ୍ରାପଡା, ମାର୍ଶାଘାଇ ମହାକାଳପଡା ତହସିଲର ହଜାର ହଜାର ହେକ୍ଟର ଜମି ଖାଲୁଆ ହୋଇ ପଡିରହିଛି । କୌଣସି ଚାଷ ନହେଉଥିଲେ ମଧ୍ୟ ସରକାର ଜଳକର ଓ ଖଜଣା ନେଉଛନ୍ତି । ଏବେ ନୂଆକରି ହେଉଥିବା ଅନାବଶ୍ୟକ ରାଜପଥ ପାଇଁ କେନ୍ଦ୍ରାପଡାର ମାଟି ନେବା ଦ୍ୱାରା ପୁନର୍ବାର ହଜାର ହଜାର ହେକ୍ଟର ଜମି ନଷ୍ଟ ହେବ । ସେହିଭଳି ନଦୀରୁ ବେଆଇନ୍ ଭାବେ ମେସିନ ଲଗାଇ ୧୦-୨୦ ଫୁଟ୍ ତଳୁ ବାଲି ଉଠାଯାଉଥିବାରୁ ନଦୀରେ ସମୁଦ୍ରର ଲୁଣପାଣି ମାଡିଆସିବା ଯୋଗୁଁ ମଧୁର ଜଳର ଅଭାବ ଦେଖାଗଲାଣି । ଜାତୀୟ ରାଜପଥ ପାଇଁ କେନ୍ଦ୍ରାପଡାର ମାଟି ଓ ବାଲି ବଦଳରେ ଯାଜପୁର ପାହାଡ ଓ ପାରାଦ୍ୱୀପର ଜିପସମ୍ ରେ ରାସ୍ତା ନିର୍ମାଣ କରିବା ପାଇଁ ନିର୍ଦ୍ଧେଶ ଦିଆଯିବାକୁ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *