ମାହାଙ୍ଗା ୨୩/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- କଳି ଯୁଗରେ ହରିନାମ ଏକମାତ୍ର ସତ୍ୟ । ଲୋଭ ମୋହ କାମ କ୍ରୋଧ ଇର୍ଷା ଓ ଅହଂକାରରୁ ମୁକ୍ତିପାଇଁ ମଣିଷ ଈଶ୍ୱରଙ୍କ ସରଣାପନ୍ନ ହୋଇଥାଏ । ସତ୍ୟ ନ୍ୟାୟ ଦୟା କ୍ଷମା ସେବା ଓ ଧର୍ମ ଆଚରଣ ହିଁ’ ମଣିଷର ପ୍ରକୃତ ପରିଚୟ ବୋଲି ସାଧୁ-ସନ୍ଥ ମାନେ ଯୁଗେଯୁଗେ କହିଆସୁଛନ୍ତି । ଗ୍ରାମରେ ଶାନ୍ତି ମୈତ୍ରୀ ଭାଇଚାରା ଓ ସଦଭାବନା ପ୍ରତିଷ୍ଠା ପାଇଁ ଅଷ୍ଟ ପ୍ରହର ନାମଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ୮ ଟି ସଂକୀର୍ତନ ଦଳ ଚମତ୍କାର ଭାବରେ ନୃତ୍ୟ ସଂଗୀତ ମାଧ୍ୟମରେ ପ୍ରଭୁଙ୍କ ନାମ କୀର୍ତ୍ତନ କରିଥିଲେ । ଶହଶହ ଶ୍ରଦ୍ଧାଳୁ ଏହି ଭବ୍ୟ ଉତ୍ସବରେ ଉପସ୍ଥିତ ରହି ହରିନାମର ମହିମା ଶ୍ରବଣ କରିଥିଲେ । ଭକ୍ତ ମାନଙ୍କ ମନ ଆଉ ହୃଦୟରେ ହରି ନାମ କୃଷ୍ଣ ନାମର ପବିତ୍ର ଗୁଞ୍ଜନ ଅମାପ ଆନନ୍ଦ ପ୍ରଦାନ କରୁଥିବା ବେଳେ, ପ୍ରଭୁଙ୍କ ଅଭୟ ଆଶୀର୍ବାଦ ପାଇଁ ସମବେତ ଶ୍ରଦ୍ଧାଳୁ ମାନେ ଗାଁ ଦାଣ୍ଡରେ ପ୍ରାର୍ଥନା କରିବା ଦେଖିବାକୁ ମିଳିଥିଲା । ସାରାରାତି ନାମ ସଂକୀର୍ତ୍ତନ ସହିତ, ହରି ହାଟରେ ପ୍ରସାଦ ସେବନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ପରେ ନଗର ଭ୍ରମଣ ପାଇଁ ଭକ୍ତମାନେ ବାହାରି ପଡ଼ିଥିଲେ । ଘରକୁ ଘର ବୁଲି ସ୍ନେହ ପ୍ରେମ ବିଶ୍ୱାସ ଆଉ ଭକ୍ତିର ଅର୍ଘ୍ୟ ବାଣ୍ଟିବା କାର୍ୟ୍ୟକ୍ରମ ବେଶ ନିଆରା ଥିଲା । ଏହି ଧାର୍ମିକ ଉତ୍ସବକୁ ସର୍ବଶ୍ରୀ ପ୍ରସନ କୁମାର ପରିଡା, ବିଶ୍ୱ ରଞ୍ଜନ ଖମାରୀ, ପ୍ରସନ କୁମାର ସାହୁ, ଶ୍ୟାମ ସୁନ୍ଦର ସାହୁ, ଅଶୋକ ବେହେରା, ସୁରେନ୍ଦ୍ର ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ବିଶ୍ୱଜିତ ସାହୁ, ବସନ୍ତ ସାହୁ, ପବିତ୍ର ବେହେରା, ଦୀପକ ପୃଷ୍ଟି, ପ୍ରଭାକର ବାରିକ, ଜ୍ୟୋତି ପ୍ରକାଶ ବାରିକ, ବିଭୁତି ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀ ମୁକୁନ୍ଦପୁର, କଉଡ଼ିକୁଣି, ଅଞ୍ଜିରା, ପାଇକମରା,ଅଠରଭୋଗ, ଆଦି ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଗୁଡିକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଫୁଲ ଚନ୍ଦନ ଦେଇ ସେମାନଙ୍କୁ ଅଷ୍ଟ ପ୍ରହରୀ ପୀଠକୁ ପାଛୋଟି ନିଆଯାଇଥିଲା । ନଗରକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀମୁକୁନ୍ଦପୁର ଓ କଉଡ଼ିକୁଣି ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ ।ଅତ୍ୟନ୍ତ ଭାବପୂର୍ଣ୍ଣ ସହକାରେ ପ୍ରଭୁଙ୍କ ନାମ ଗାଇଗାଇ, ନଦିଆ କୀର୍ତ୍ତନର ତାଳେ ତାଳେ ଝୁଲି ଝୁଲି, ଭକ୍ତ ମାନଙ୍କ ଗହଣରେ ପ୍ରଭୁଙ୍କୁ ନଗର ଭ୍ରମଣ କରାଯାଇଥିଲା । ଚଳିତ ବର୍ଷର ଏହି ଉତ୍ସବ ବେଶ ଆନନ୍ଦ ଉତ୍ସାହର ସହିତ ପାଳିତ ହୋଇଥିଲା ।