ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ

                                                               ଜିଲ୍ଲାର ୧୭୯୮ ଜଣଙ୍କୁ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ୨୧/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଛି ।  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓଡ଼ିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ । ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାର୍ଥୀ, ଶିକ୍ଷକ, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ, ବ୍ଲକ, ଆଲୁମିନ୍, ଏସ୍ଏମ୍‌ସି, ବିଇଓ, ଜିଲ୍ଲାକୁ ପୁରସ୍କୃତ କରାଯାଇ ଅନ୍ୟମାନଙ୍କୁ ଅଭିପ୍ରେରିତ କରିବା ଏହାର ଲକ୍ଷ୍ୟ। ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ନିମନ୍ତେ ସମଗ୍ର ଭାରତବର୍ଷରେ ଏହା ଅଦ୍ବିତୀୟ କାର୍ଯ୍ୟକ୍ରମ । ଏହି ପୁରସ୍କାର ଅନ୍ତର୍ଗତ ଅଭିନବ କାର୍ଯ୍ୟ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ଦେବା ସହ ସଫଳତାର ସହିତ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରି ଆଗକୁ ବଢିବାରେ ସହାୟତା ଓ ଉତ୍ସାହ ଦେବା ଏହାର ଏକମାତ୍ର ଲକ୍ଷ୍ୟ । ବିଦ୍ୟାଳୟ ଏବଂ ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ଓ ଶିକ୍ଷାର୍ଥୀଙ୍କୁ ଭବିଷ୍ୟତ ମାର୍ଗଦର୍ଶନ କରିବାକୁ ପ୍ରେରଣା ଦେବା ପାଇଁ ଏହି ପୁରସ୍କାର ପ୍ରଚଳନ କରାଯାଇଛି । ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦିଗ୍‌ଦର୍ଶନ ଓ ଶିକ୍ଷାକୁ ଆଗକୁ ନେବା ପାଇଁ ତାଙ୍କର ସ୍ୱପ୍ନକୁ ସଫଳ ରୂପାୟନ କରିବା ପାଇଁ ଏହି ପୁରସ୍କାର ସହାୟକ ହେବ ଏଥିରେ ସନ୍ଦେହ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଜାନୁଆରୀ ମାସ ୩୧ ତାରିଖରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଅନେକ ଅନୁଷ୍ଠାନ ଓ ସଫଳ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ପ୍ରତିଭାଧାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀ ପୁରସ୍କୃତ ହୋଇଛନ୍ତି l

 ଆଜି ଏହି ମର୍ମରେ ଖୋରଧା ଜିଲ୍ଲାର ଆଜି ସମୁଦାୟ ୧୭୯୮ ଜଣ ବିଦ୍ୟାର୍ଥୀ, ପ୍ରଧାନଶିକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ଆଲୁମିନି କମିଟି, ପଞ୍ଚାୟତ, ବ୍ଲକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମଧ୍ୟ ପୁରସ୍କୃତ ଦେବାକୁ ମନୋନୀତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *