ରାଜଭବନରେ କୁଳପତି ସମ୍ମିଳନୀ

  “ବିକଶିତ ଓଡ଼ିଶା – ବିକଶିତ ଭାରତ” ଗଠନ ପାଇଁ ବିଶ୍ୱ ବିଦ୍ୟାଳୟ ହେଉଛି ଭିତିଭୂମି – ରାଜ୍ୟପାଳ

ଭୁବନେଶ୍ୱର,୦୫/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- “ବିକଶିତ ଓଡିଶା – ବିକଶିତ ଭାରତ” ଗଠନ ପାଇଁ ବିଶ୍ୱ ବିଦ୍ୟାଳୟ ହେଉଛି ଭିତିଭୂମି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ମଙ୍ଗଳବାର ଦିନ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଆୟୋଜିତ ରାଜ୍ୟର ବିଶ୍ୱ ବିଦ୍ୟାଳୟ ସମୁହର କୁଳପତି ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏତଦ୍ବ୍ୟତୀତ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶିକ୍ଷାଗତ ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣର ତତ୍ୱାବଧାରକଭାବେ ବିଶ୍ୱ ବିଦ୍ୟାଳୟରେ ସୁରକ୍ଷିତ, ଅନ୍ତର୍ନିବେଶୀ ଓ ଶୃଙ୍ଖଳିତ ପରିବେଶ ସୁନିଶ୍ଚିତ କରିବା ପାଇଁ କୁଳପତିମାନେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି ।

ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଶ୍ୱ ବିଦ୍ୟାଳୟ ହେଉଛି ଜ୍ଞାନ, ନବ ସୃଜନ ଓ ଦାୟିତ୍ୱବାନ ନାଗରିକ ସର୍ଜନାର କେନ୍ଦ୍ର ।

ରାଷ୍ଟ୍ର ଗଠନରେ ଉଚ୍ଚ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ବିଦ୍ୟାଳୟର ପୁରୋଧା ଭାବରେ ଶୈକ୍ଷିକ ପରିମଣ୍ଡଳକୁ ରୂପରେଖ ଦେବାରେ, ନବ ସୃଜନକୁ ପ୍ରୋତ୍ସାହିତ କରିବାରେ ଏବଂ ଅନୁଷ୍ଠାନକୁ ଜ୍ଞାନ ଓ ଉତ୍କର୍ଷ କେନ୍ଦ୍ର କରିବାରେ କୁଳପତିମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟରେ ନୂତନ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଥିବାରୁ ରାଜ୍ୟପାଳ ଖୁସି ପ୍ରକଟ କରିବା ସହିତ ଏହା ବହୁମୁଖୀ ଶିକ୍ଷା, ଗବେଷଣା, ଦକ୍ଷତା ବିକାଶ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଥିଲେ ।

ନୂତନ ଶିକ୍ଷାନୀତିରେ ଅଭିନବ ଶିକ୍ଷା ପଦ୍ଧତିକୁ ଗ୍ରହଣ କରିବା, ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ତର୍ଜାତୀୟ ଅନୁଷ୍ଠାନ / ପ୍ରତିଷ୍ଠାନ ସହିତ ସମନ୍ୱୟ ଓ ସହଯୋଗ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ କେବଳ ନିଯୁକ୍ତି ପାଇଁ ପ୍ରସ୍ତୁତ ନକରି ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା ନିମନ୍ତେ ପ୍ରସ୍ତୁତ କରିବାକୁ ନୂତନ ଶିକ୍ଷାନୀତି ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ । ରାଜ୍ୟରେ ଶିକ୍ଷା ଓ ଦକ୍ଷତା ଇକୋସିଷ୍ଟମକୁ ରୂପରେଖ ଦେବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ନୂତନ ଶିକ୍ଷାନୀତି – ୨୦୨୦ର ସଫଳ କାର୍ଯ୍ୟାନ୍ୱୟନ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ।


ବିଶ୍ୱ ବିଦ୍ୟାଳୟମାନଙ୍କର ସୁପରିଚାଳନା, ସ୍ୱଚ୍ଛତା, ଉତରଦାୟିତ୍ୱ, ପରୀକ୍ଷା ପରିଚାଳନା ଓ ପରୀକ୍ଷାଫଳ ପ୍ରକାଶନ, କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ ଉପରେ ଗୁରୁତ୍ୱାରୋପ କରି ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି ଓ ଏହାର ଅନୁପାଳନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦ୍ଧେଶ ଦେଇଥିଲେ ।

ଏତଦ୍ବ୍ୟତୀତ ବିଶ୍ୱ ବିଦ୍ୟାଳୟ ପାଇଁ ଆର୍ଥିକ ସ୍ୱଚ୍ଛତା, ଦାୟିତ୍ୱପୂର୍ଣ୍ଣ ବଜେଟ୍ ପ୍ରସ୍ତୁତି, ପାଣ୍ଠିର ସୁବିନିଯୋଗ, ନିୟମିତ ଅଡିଟ୍, ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ ପାଇଁ ରାଜ୍ୟପାଳ ନିର୍ଦ୍ଧେଶ ଦେଇଥିଲେ । ଏତଦ୍ବ୍ୟତୀତ ସଂପ୍ରତି ଡିଜିଟାଲ ଯୁଗରେ ସାଇବର କ୍ରାଇମ୍ ବୃଦ୍ଧି ପାଉଥିବାରୁ ସାଇବର ନିରାପତା ଦିଗରେ ବିଶ୍ୱ ବିଦ୍ୟାଳୟମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏତଦ୍ବ୍ୟତୀତ ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରେ ଯୌନ ନିର୍ଯ୍ୟାତନା ଘଟଣା ଏଡାଇବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ, ଦାୟିିତ୍ୱବାନ ଏବଂ ଦେଶପ୍ରେମୀ ନାଗରିକଭାବେ ଗଢ଼ି ତୋଳିବା ପାଇଁ ଏନ୍.ସି.ସି.ରେ ଛାତ୍ରଛାତ୍ରୀମାନଙ୍କର ଅଂଶ ଗ୍ରହଣକୁ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ କହିଥିଲେ ।


ଏହି ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକସ୍ ଓ ଆଇ.ଟି. ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବକ୍ତବ୍ୟ ପ୍ରଦାନ କରି ଉଚ୍ଚ ଶିକ୍ଷା ସହିତ ସଂପର୍କିତ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ / ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।

ବିଭିନ୍ନ ବିଭାଗୀୟ ପ୍ରମୁଖ ଶାସନ ସଚିବ / ଶାସନ ସଚିବ ଓ ବିଭିନ୍ନ ସଂସ୍ଥାର କର୍ମକର୍ତା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ସମ୍ମିଳନୀରେ ନୂତନ ଶିକ୍ଷାନୀତି-୨୦୨୦ ସହିତ ବିଶ୍ୱ ବିଦ୍ୟାଳୟ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିଶଦ୍ ଆଲୋଚନା ହୋଇଥିଲା । ବିଭିନ୍ନ ସମସ୍ୟାର ସମାଧାନ ଏବଂ ବିଶ୍ୱ ବିଦ୍ୟାଳୟର ସୁପରିଚାଳନା ଉପରେ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।


ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କୁଳପତି ସମ୍ମିଳନୀର ଉଦ୍ଧେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଉଚ୍ଚ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଭାଇସ୍ ଚ୍ୟାନେସଲର ସଂଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *