ଆଇସିଡିଏସ୍ ମଧ୍ୟାହ୍ନ ଭୋଜନରେ ଓମଫେଡ଼ ର ଗୁଣ୍ଡକ୍ଷୀର ଦେବା ପ୍ରସ୍ତାବ : ଦୁଗ୍ଧଚାଷୀ ମହାସଂଘ

ଭୁବନେଶ୍ୱର,୩୦/୧୧/୨୦୨୪ (ଓଡ଼ିଶା ସମାଚାର)- ଓମ୍ଫେଡ଼ର ସାଧାରଣ ପରିଷଦ ବୈଠକରେ ମଧ୍ୟାହ୍ନ ଭୋଜନ ଓ ଆଇସିଡିଏସ୍ କାର୍ଯ୍ୟକ୍ରମରେ ମହିଳା ଶିଶୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ଗୁଣ୍ଡକ୍ଷୀର ଯୋଗାଇ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଓମଫେଡ଼ର ଏହି ଗୁଣ୍ଡକ୍ଷୀର ଦେବା ପ୍ରସ୍ତାବକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ସ୍ୱାଗତ କରିବା ସେଙ୍ଗ ସେଙ୍ଗ ରାଜ୍ୟ ସରକାର ତୁରନ୍ତ ଏହା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦୁଗ୍ଧଚାଷୀ ମହାସଂଘ ଦାବି କରିଛି ।
ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଓଡ଼ିଶାର ପାଖାପାଖି ୧ କୋଟି ୩୮ ଲକ୍ଷ ମହିଳା ଓ ଶିଶୁ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହେଇଛନ୍ତି ବୋଲି ଏକ ସର୍ବେକ୍ଷଣରେ ପ୍ରକାଶ ପାଇଛି । ତେଣୁ ଆଇସିଡିଏସ୍ ଓ ମଧ୍ୟାହ୍ନ ଭୋଜନରେ ମହିଳା, ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ ଗୁଣ୍ଡ କ୍ଷୀର ଯୋଗାଇ ଦେଲେ ଏହା ରକ୍ତହୀନତା ଓ ଅପପୁଷ୍ଟି ବିରୁଦ୍ଧରେ ବେଶ୍ ସହାୟକ ହୋଇପାରିବ । ଅନ୍ୟ ଏକ ଦିଗରେ ଏଥିଯୋଗୁ ରାଜ୍ୟରେ କ୍ଷୀରର ଚାହିଦା ବୃଦ୍ଧି ହେବା ସେଙ୍ଗ ସେଙ୍ଗ ରୋଜଗାର ମଧ୍ୟ ବଢିବ । ଅଧିକରୁ ଅଧିକ ଲୋକ ଡାଏରୀ ଫାର୍ମ ଜରିଆରେ ଗାଈ ରଖି ଦୁଗ୍ଧ ଉତ୍ପାଦନରେ ସାମିଲ୍ ହେବେ । ସାଧାରଣତଃ ଗାଁର ଅଧା ପାଠୁଆ ଯୁବକ, ଯୁବତୀ ଏବଂ ମହିଳାମାନଙ୍କ ମଧ୍ୟରେ ଡାଏରୀ ଫାର୍ମକୁ ନେଇ ରୋଜଗାର ବୃଦ୍ଧି ପାଇବ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏହା ମଧ୍ୟ ରାଜ୍ୟରେ ଦାଦନ ସମସ୍ୟା ମୁକାବିଲା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଡାଏରୀ ଫାର୍ମିଂ ବ୍ୟାପକ ହେଲେ ରାଜ୍ୟର ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବ ବୋଲି ଶ୍ରୀ ବେହେରାଙ୍କ ସମେତ ମହାସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର ଓ ସମ୍ପାଦକ ନାରାୟଣ ଡାଳୁଆ ପ୍ରମୁଖ କହିଛନ୍ତି । ଦୁଗ୍ଧଚାଷୀମାନଙ୍କୁ ଡାଏରୀ ଫାର୍ମିଂ ପାଇଁ ଆକର୍ଷିତ କରିବାକୁ ଦୁଗ୍ଧ ଲିଟର ପିଛା ଓମଫେଡ଼ ପକ୍ଷରୁ ଚାଷୀଙ୍କୁ ଲିଟର ପିଛା ୪୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ମହାସଂଘ ଦାବି କରିଛି ।

Leave a Reply

Your email address will not be published. Required fields are marked *