ରାଜ୍ୟରେ ଆଉ ୧୮ ସରକାରୀ ଡିଗ୍ରୀ କଲେଜ ଖୋଲିବ

ଭୁବନେଶ୍ୱର,୧୮/୦୨/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ଚଳିତ ଶିକ୍ଷାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ଏସବୁ କଲେଜ । ୫ T ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ନିଜ ଅଂଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଲୋକମାନେ ଅନୁରୋଧ କରିଥିଲେ । ଯାହାକୁ ଭିତି କରି ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିପରି ଆସନ୍ତା ସପ୍ତାହରେ ୧ ହଜାର ୫୬ ଜଣ ଅଧ୍ୟାପକଙ୍କୁ ଷ୍ଟାଫ୍ ସିଲେକସନ୍ ବୋର୍ଡ ଜରିଆରେ ନିଯୁକ୍ତି ଦିଆଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି । ୨ ହଜାର ମସିହାରେ ଓଡ଼ିଶାର ୫୪୮ଟି ଡିଗ୍ରୀ କଲେଜ ଥିଲା । ଏବେ ୧ ହଜାର ୪୦ରେ

ପହଂଚିଛି । ବିଶ୍ୱବିଦ୍ୟାଳୟ ସଂଖ୍ୟା ୫ରୁ ବୃଦ୍ଧି ପାଇ ୨୪ରେ ପହଂଚିଛି । ଯେଉଁଥିରେ ୧୭ଟି ସରକାରୀ ଓ ୭ଟି ବେସରକାରୀ ବିଶ୍ୱବିଦ୍ୟାଳୟ ଅଛନ୍ତି । କିଛି ଦିନ ପୂର୍ବରୁ ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଛି । ରାଜ୍ୟରେ ୨୧ଟି ଫଣ୍ଡାମେଂଟାଲ ରିସର୍ଚ୍ଚ ସେଂଟର ଅଫ୍ ଏକ୍ସଲେନ୍ସ ମଧ୍ୟ ଖୋଲିଛି । କଲେଜଗୁଡ଼ିକର ସ୍ଥାୟୀ ଭିତିଭୂମି

ତିଆରି ହୋଇଥିବାରୁ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରୁମ ଓ ଲାବରେଟୋରି ସୁବିଧା ପାଇପାରିବେ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ଇ-ମେଧାବୃତି, ବ୍ୟାସକବି ଫକୀର ମୋହନ ଭାଷାବୃତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆଦିର ଲାଭ ନେଇପାରିବେ । ସେହିପରି ବିଜୁ ଯୁବ ସଶକ୍ତିକରଣ ଯୋଜନା, ଗ୍ରୀନ୍ ପ୍ୟାସେଜ୍ ଯୋଜନା, ମାଗଣା ସିଭିଲ୍ ସର୍ଭିସ କୋଚିଂ ଭଳି ବିଭିନ୍ନ ଯୋଜନା କରାଯାଇଛି । ମୋ କଲେଜ ଅଭିଯାନ ଅଧୀନରେ ବହୁ ପୁରାତନ ଛାତ୍ରଛାତ୍ରୀ କଲେଜ ସହ ଯୋଡ଼ି ହୋଇ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରାଉଛନ୍ତି । କଲେଜଗୁଡ଼ିକରେ ଖାଲିଥିବା ପଦବି ପୂରଣ ଲାଗି ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ୨୦୨୨-୨୩ ଶିକ୍ଷାବର୍ଷରେ ୪୬୭ ଜଣ ନିଯୁକ୍ତି ପାଇଥିବା ବେଳେ ୨୦୨୩-୨୪ରେ ୧ ହଜାର ୩୩ ଜଣ ମନୋନୀତ ହୋଇଛନ୍ତି । ଲାପଟପ୍ ଯୋଜନା ଦ୍ୱାରା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆକାଉନ୍ଟକୁ ସିଧାସଳଖ ୩୦ ହଜାର ଟଙ୍କା ପଠା ଯାଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *