ଗୁଳିମାଡରେ ମହିଳା ଗୁରୁତର ଆହତ

 ଭଞ୍ଜନଗର, ୧୮/୦୨/୨୦୨୪ (ଓଡ଼ିଶା ସମାଚାର)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧିନ ବେଡିଗୋବା ଗ୍ରାମରେ ଶନିବାର ଅପରାହ୍ନ ରେ ଜଣେ ମହିଳାଙ୍କୁ ଗୁଳିମାଡ ହୋଇଛି । ଗୁଳିମାଡରେ କାନବିନ୍ଧା ଗାଁ ର ସପନା ସାହୁ (୩୮)  ଗଭୀର କ୍ଷତ ଚିହ୍ନ ରହିଛି ।ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ରୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ସୂଚନାନୁସାରେ, ଗୁଳିମାଡର ଶିକାର ହୋଇଥିବା ମହିଳା ସପନା ସାହୁଙ୍କ ବାପଘର ବେଡିଗୋବା ହୋଇଥିବା ବେଳେ ନିକଟସ୍ଥ କାନବିନ୍ଧା ଗାଁରେ ବାହା ହୋଇଥିଲେ ।ସ୍ୱାମୀ ଗୁରୁବା ସାହୁ ବାହାରକୁ କାମ କରିବାକୁ ଯାଇଥିବା ରୁ ସେ ବାପା ଘର ବେଡିଗୋବା ରେ ରହୁଥିଲେ । ଗତକାଲି ଅର୍ଥାତ ଶନିବାର ମଧ୍ୟାହ୍ନ ସମୟରେ ସେ ତାଙ୍କ ମାଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଶିଆଳି (ଖଲି ପତ୍ର) ସଂଗ୍ରହ କରିବାକୁ ଯାଇଥିଲେ । ଘଂଚ ଜଙ୍ଗଲ ଭିତରେ ପତ୍ର ସଂଗ୍ରହ କରୁଥିବା ବେଳେ ଅପରାହ୍ନ ସମୟରେ ତାଙ୍କ ପଛପଟୁ ଗୁଳି ଆସି ବାଜିଥିଲା । ଅନ୍ଟା ନିକଟରେ ଗଭୀର କ୍ଷତ ହୋଇଥିଲା । ପ୍ରବଳ ରକ୍ତଶ୍ରାବ ହେବାରୁ ସେ ମାଙ୍କ ସହ ଜଙ୍ଗଲରୁ ଘରକୁ ଫେରିଥିଲେ । ହେଲେ ଚିକିତ୍ସା ପାଇଁ ମେଡିକାଲ କୁ ଆସିନଥିଲେ । ରବିବାର ସକାଳୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ପରିବାର ଲୋକେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୁରୁତର ଆହତ ମହିଳା ଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ।ତେବେ ଗୁଳିମାଡର କାରଣ ଜଣାପଡିନାହିଁ । ଭଞ୍ଜନଗର ପୁଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *