ସ୍ୱଚ୍ଛ ନିର୍ବାଚନ ପାଇଁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ଆବଶ୍ୟକ- ଜିଲାପାଳ

କେନ୍ଦ୍ରାପଡ଼ା, ୧୧/୯/୨୦୨୪ (ଓଡ଼ିଶା ସମାଚାର)- ଭୋଟର ତାଲିକାରେ ରହିଥିବା ତ୍ରୁଟିର ସଂଶୋଧନ ପାଇଁ ଆଜି ଜିଲା ସଂସ୍କୃତି ଭବନରେ ତିନିଦିନିଆ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ – ୨୦୨୫ ନିମନ୍ତେ ବୁଥସ୍ତରୀୟ ଅଧିକାରୀମାନଙ୍କ କର୍ମଶାଳା ତଥା ତାଲିମ୍ ଶିବିର ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅବାଧ, ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନ ପାଇଁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟ ପାଇଁ ବୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଧେଶକ୍ରମେ ଆମ ଜିଲାରେ ଘରକୁ ଘର ସର୍ଭେ କରାଯାଇ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆସନ୍ତା ୨୦ତାରିଖ ଠାରୁ ଆରମ୍ଭ ହୋଇ ୩୦ତାରିଖରେ ଶେଷ ହେବ । ସମୀକ୍ଷାରୁ ଜଣାଯାଇଛି ଯେ ଆମ ଜିଲାରେ ଏହି କାର୍ଯ୍ୟ ମାତ୍ର ୧୭ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି ଯାହା ଫଳରେ ଆମ ଜିଲାର ସ୍ଥାନ ଓଡ଼ିଶାରେ ୨୯ ନମ୍ବର ସ୍ଥାନିତ ହୋଇଛି । ଆମ ଜିଲାରେ ୨୦୨୪ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପନ ହେବା ସହ କୌଣସି ବୁଥରେ ପୁନଃ ଭୋଟିଂ ହୋଇନଥିବାରୁ ଜିଲାପାଳ ସମସ୍ତ ବୁଥସ୍ତରୀୟ ଅଧିକାରୀ ଓ ନିର୍ବାଚନ କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଘରକୁ ଘର ସର୍ଭେ କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ୯୦ ପ୍ରତିଶତ ହାସଲ କରିବାକୁ ସମସ୍ତଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଚଳିତ ବର୍ଷ ଚାଲୁଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ- ୨୦୨୫କୁ ସୁଗମ ତଥା ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ପାଂଚ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିୟୋଜିତ ହୋଇଥିବା ସମସ୍ତ ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ଆଜି ଠାରୁ ସେପପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ତାଲିମ୍ ପ୍ରଦାନ କରାଯାଉଛି । ଏହି କ୍ରମରେ ଆଜି ୯୯- ରାଜନଗର ଓ ୯୭- କେନ୍ଦ୍ରାପଡା (ସଂରକ୍ଷିତ) ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ବେଳେ ୧୨ ତାରିଖରେ ୯୮- ଆଳି ଓ ୯୬- ପାଟକୁରା ଏବଂ ୧୩ତାରିଖରେ ୧୦୦- ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ କରାଯିବ । ଘରକୁ ଘର ସର୍ଭେ କରିବା ସମୟରେ ଫର୍ମ-୬ ରେ ପଞ୍ଜୀକରଣ, ଫର୍ମ-୭ ରେ ନାମ ବାଦ୍ ଦେବା ଓ ଫର୍ମ-୮ ରେ ନାମ, ତଥ୍ୟ, ଫଟୋ ସଂଶୋଧନ କରିବାକୁ ଉପ-ଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ ବୁଥ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ଏହାକୁ ବି.ଏଲ.ଓ. ଆପରେ ଅପ୍ଲୋଡ କରିବା ଆବଶ୍ୟକ ବୋଲି କହିଥିଲେ । ନୂତନ ଭାବେ ନିର୍ମାଣ କରାଯାଇଥିବା ଘର ଓ ପ୍ରତ୍ୟେକ ଘରର ମୋଟ ପୁରୁଷ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ତୃତୀୟ ଲିଙ୍ଗ ସଂଖ୍ୟାକୁ ସର୍ଭେ କରି ବିଏଲଓ ଆପରେ ଅପ୍ଲୋଡ କରିବା ଦରକାର । ୧୭ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍ ଥିବା ସଦସ୍ୟଙ୍କ ସଂଖ୍ୟା ଘରେ କେତେ ଅଛି ତାହାକୁ ଗୁରୁତ୍ୱ ଦେବା ଦରକାର । ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା ଅନୁରୋଧ କରିଥିଲେ । ଜିଲାପାଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ତାଲିମ୍ ଶିବିର ପ୍ରାରମ୍ଭ ହୋଇଥିଲା । ଏହି ତାଲିମ୍ ଶିବିରରେ ବି.ଡି.ଓ, ଡେପୁଟି କଲେକ୍ଟର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜନଗର ଓ କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବୁଥସ୍ତରୀୟ ଅଧିକାରୀ, ସୁପରଭାଇଜର, ଶିକ୍ଷକ/ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *