ଯାଜପୁର ଜିଲ୍ଲାର ଦଶଟି ବଣଭୋଜି ସ୍ଥଳ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଜିଲ୍ଲାପାଳଙ୍କ ବୈଠକ

ଯାଜପୁର,୦୫/୦୧/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲାରେ ଥିବା ଦଶଟି ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଶ୍ରୀ ମଦନ ମୋହନ ସାହୁ, ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପରିବେଶ ସମିତି ସମ୍ପାଦକ, ଯାଜପୁର ଜିଲ୍ଲାର ଦୁଇ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲାପାଳ ଶ୍ରୀ କର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ଥିବା ପ୍ରମୁଖ ବଣଭୋଜି ସ୍ଥଳଗୁଡ଼ିକରେ ସଚେତନତା ବାର୍ତ୍ତା ସହିତ ପ୍ଲାଷ୍ଟିକ ବସ୍ତୁ ବ୍ୟବହାର ନକରିବାକୁ ଶପଥ ପାଠ କରିବା, ପ୍ଲାଷ୍ଟିକ ମୁକ୍ତ କରିବା ଓ ପ୍ଲାଷ୍ଟିକ ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରି ଆଇନ ଅମାନ୍ୟକାରୀଙ୍କ ବିରୁଦ୍ଧରେ ଜରିମାନା ଲାଗୁ କରିବାକୁ ପରାମର୍ଶ ଦେଇଥିଲେ । ଦଶରଥପୁର ନଦୀ କୂଳ , ସୁକିନ୍ଦା ଉପତ୍ୟକା, ଗୋକର୍ଣ୍ଣେଶ୍ୱର ପର୍ବତ, ବ୍ୟାସନଗର ପାର୍କ, ବିରଜା ନଦୀ ପାର୍ଶ୍ଵ, ଓଳାଶୁଣୀ ପର୍ବତ ଓ ଗୁମ୍ଫା, ପାଣିକୋଇଲି କେନାଲ ପାର୍ଶ୍ଵ, କୁଆଖିଆ ନଦୀ ପାର୍ଶ୍ଵ, ସିଙ୍ଗଡ଼ା ପର୍ବତ, ବୈତରଣୀ ଘାଟ, ଚଣ୍ଡିଖୋଲ ଇତ୍ୟାଦି ଅନ୍ତର୍ଭୁକ୍ତ ସ୍ଥାନରେ ବଣଭୋଜି ବେଳେ ପ୍ଲାଷ୍ଟିକ ଉପରେ କଟକଣା ଲଗାଇବା ପାଇଁ ଆଲୋଚନା ହୋଇଥିଲା। ଏହା ଦ୍ୱାରା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ତଥା ପରିବେଶ ସ୍ଵଚ୍ଛ ସୁନ୍ଦର ରହିବା ସହ ସ୍ୱଚ୍ଛତା କ୍ଷେତ୍ରରେ ଜିଲ୍ଲାର ମାନ୍ୟତା ବୃଦ୍ଧି ପାଇବ। ଏହାସହ ପର୍ଯ୍ୟଟକ, ବଣଭୋଜି କରୁଥିବା ଲୋକଙ୍କୁ ଏକ ସୁସ୍ଥ ପରିବେଶ ମିଳିପାରିବ।

Leave a Reply

Your email address will not be published. Required fields are marked *