ଭୁବନେଶ୍ୱର, ୧୮ /୦୧/୨୦୨୪ (ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ୍ ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଏହି ଯୋଜନାରେ ଚଳାଚଳ କରିବ।
ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲ୍ଲା ଗୁଡିକ ହେଲା: ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପୁରୀଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ସେବା ଆରମ୍ଭ ହୋଇଛି। ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଭୂପିନ୍ଦର ସିଂହ, ଉନ୍ନୟନ କମିଶନର ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ
