କଟକ ୨୦/୧୧/୨୦୨୬(ଓଡ଼ିଶା ସମାଚାର/ ଦେବାଶିଷ ରଥ)– ଐତିହାସିକ କଟକ ବାଲିଯାତ୍ରା-୨୦୨୬ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ରାତି ୧୧ଟା ପର୍ଯ୍ୟନ୍ତ ସାଉଣ୍ଡ ସିଷ୍ଟମ୍ ଓ ଲାଉଡ୍ସ୍ପିକର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲୋୟର ବାଲିଯାତ୍ରା ପଡ଼ିଆରେ ଥିବା ଗଣକବି ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତି ମଞ୍ଚରେ ରାତି ୧୧ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ ଏବଂ ଲାଉଡ୍ସ୍ପିକର ବ୍ୟବହାର କରାଯାଇପାରିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି ।
ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଚଳିବାକୁ ଥିବା ଐତିହାସିକ ବାଲିଯାତ୍ରାରେ ଦେଶ-ବିଦେଶ, ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ସାଂସ୍କୃତିକ ଦଳ ଯୋଗଦେଇ ନିଜ ନିଜର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ପ୍ରଦର୍ଶନ କରିବେ। ଏସିଆର ବୃହତ୍ତମ ମୁକ୍ତାକାଶ ବାଣିଜ୍ୟ ମେଳା ଭାବେ ପରିଚିତ ଏହି ରାଜ୍ୟସ୍ତରୀୟ ମହୋତ୍ସବକୁ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ଆଗମନ ହୋଇଥାଏ। ଏହି ନିର୍ଦ୍ଦେଶର ସଠିକ୍ କାର୍ଯ୍ୟକାରିତା ଓ ତଦାରଖ ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), କଟକଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଓ ସାଂସ୍କୃତିକ ଉତ୍ସବର ସୁଚାରୁ ଆୟୋଜନ ଉଦ୍ଦେଶ୍ୟରେ ଏହି ଅନୁମତି ପ୍ରଦାନ କରାଯାଇଛି ।
