କଟକ ସଦର,୧୯/୧୧/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଗୁରୁତ୍ୱ ବହନ କରୁଥିବା ପୁରାତନ ସରକାରୀ ଚିନ୍ତାମଣି ବିଦ୍ୟାପୀଠରେ ଦିନକୁ ଦିନ ଶୈକ୍ଷିକ ପରିବେଶ /ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଯାହା ଫଳରେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାଵିକାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ଉକ୍ତ ବିଦ୍ୟାଳୟରେ ପରିଚାଳନା କମିଟି (ଏସ୍ ଏମ୍ ସି) ଗଠନ ସରିଥିଲେ ବି ଉକ୍ତ କମିଟିକୁ ବିଭିନ୍ନ ଆଳରେ ସ୍ଵିକୃତି ଦିଆଯାଉ ନଥିବାରୁ ବିଦ୍ୟାଳୟରେ ଅରାଜକତା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।
ସେଥିରେ ସ୍କୁଲର ପାଠପଢ଼ା ସମୟରେ ଠିକାଦାରୀ କାମ ଚାଲିବା, ସ୍କୁଲ ଭିତରେ ବାଲି,ଗୋଡି,ପଟା, ବାଉଁଶ ଗଦା ହୋଇ ରହିବା ଫଳରେ ବିଦ୍ୟାର୍ଥୀ ମାନେ ଚାଲଵୁଲ କରିପାରୁ ନଥିବା ଏଵଂ ଏଥିପାଇଁ ବହୁ ସମୟରେ ବିଷଧର ସାପ ବୁଲୁଥିବା ଅଭିଯୋଗ ହୋଇଛି। ସେହିପରି ଅନେକ ସମୟରେ ଏକାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକାଦିକ୍ରମେ ଅନୁପସ୍ଥିତ ରହୁଥିବା,’ମା’ ପାଇଁ ଗଛଟିଏ’ ଯୋଜନାରେ ବ୍ୟାପକ ହରିଲୁଟ୍ ହୋଇଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲାବେଳେ ପ୍ରଧାନ ଶିକ୍ଷୟିତ୍ରୀ ନିରବ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ୧୦ ଟି ସମସ୍ୟା ସମ୍ପର୍କରେ ଦାବି ପତ୍ର ଦିଆଯାଇଛି। ଏହାର ସମାଧାନ ତୁରନ୍ତ କରାନଗଲେ ଆଗାମୀ ଦିନରେ ଜନସାଧାରଣ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଜଣାପଡିଛି।
