କେନ୍ଦ୍ରାପଡା ଜୀବନବୀମା ଶାଖା ଅଭିକର୍ତା ସଂଘର ବାର୍ଷିକ ଉତ୍ସବ

ନୂତନ କର୍ମକର୍ତା ନିର୍ବାଚିତ
କେନ୍ଦ୍ରାପଡ଼ା,୦୭/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜୀବନବୀମା ଶାଖା ଅଭିକର୍ତା ସଂଘର ବାର୍ଷିକ ଉତ୍ସବ ଓ କର୍ମକର୍ତା ନିର୍ବାଚନ ଜିଲା ସଂସ୍କୃତିଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କଟକ ମଣ୍ଡଳ ଅଭକର୍ତା ସଂଘର ସଭାପତି ଦେବେନ୍ଦ୍ର କୁମାର ମୁଦୁଲି ମୁଖ୍ୟ ଅତିଥି, ମଣ୍ଡଳ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର ମୁଖ୍ୟବକ୍ତା, ଜୋନାଲ ସାଂଗଠନିକ ସମ୍ପାଦକ ପ୍ରତାପ ଚନ୍ଦ୍ର ମହାନ୍ତି ଓ କେନ୍ଦ୍ରାପଡା ଜୀବନବୀମା ନିଗମ ଶାଖା କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଦିଲ୍ଲିପ କୁମାର ବିହାରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଜେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ କଟକ ମଣ୍ଡଳ ଅଭିକର୍ତା ସଂଘର ଉପସଭାପତି ଜୟନ୍ତ କୁମାର ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ନାରାୟଣ ସାହୁ,ବରିଷ୍ଠ ସଦସ୍ୟ ବିଚିତ୍ରାନନ୍ଦ ବେହେରା ଓ ସୀତାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ପଡୋଶୀ ପଟ୍ଟାମୁଣ୍ଡାଇ, ଭଦ୍ରକ, ପାରାଦୀପ,ମାର୍ଶାଘାଇ ଜୀବନବୀମା ନିଗମ ଶାଖାର ଅଭିକର୍ତାମାନେ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜୀବନବୀମା ଅଭିକର୍ତା ସଂଘର ସମ୍ପାଦକ ଚିତରଞ୍ଜନ ଭଗତ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ କେନ୍ଦ୍ରାପଡା ଜିଲା ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇ ଅଭିକର୍ତା ସଂଘର ସଭାପତି ଭାବେ ନାରାୟଣ ଜେନା, ଉପସଭାପତି ଭବାନିଶଙ୍କର ମହାନ୍ତି ଓ ବାବାଜି ଚରଣ ସାମଲ, ସମ୍ପାଦକ ଅକ୍ଷୟ କୁମାର ସାହୁ, ସହ ସମ୍ପାଦକ ଜୀତେନ୍ଦ୍ର କୁମାର ମହାନ୍ତି ଓ ଫକିର କୁମାର ଖୁଂଟିଆ, କୋଷାଧ୍ୟକ୍ଷ ଶୈଳଜାଶଙ୍କର ସାମଲ, ସାଂଗଠନିକ ସମ୍ପାଦକ ରଞ୍ଜନ କୁମାର ମଣ୍ଡଳ ଓ ପ୍ରଶାନ୍ତ କୁମାର ରାଉତଙ୍କୁ ନିର୍ବାଚିତ କରାଯାଇଥିଲା । ସଭାପତି ଭାବେ ଶ୍ରୀ ଜେନା ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସମସ୍ତେ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଥିଲେ । ନିର୍ବାଚିତ କର୍ମକର୍ତାମାନେ ଶପଥ ପାଠ କରିଥିଲେ । ଶୈଳଜାଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *