ଖୁଦୁରୁକୁଣୀମେଢ  ଭଷାଣି ଉତ୍ସବ ଅନୁଷ୍ଠିତ 

ମାହାଙ୍ଗା, ୨୯/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା ) – “ବନ୍ଦଇ ଦେବ ଜଗନ୍ନାଥ, କମଳା ଦେବୀର ସଙ୍ଗାତ, ଲକ୍ଷ୍ମୀ ଦେବୀଙ୍କ ପ୍ରାଣନାହା, ଶୋଭିତ ଶଙ୍ଖ ଚକ୍ରବାହା” ଖୁଦୁରୁକୁଣୀ ସଂଜରେ ପଲ୍ଲୀ ଗାଁ’ର କୁଆଁରୀ ଝିଅଙ୍କ କଣ୍ଠରୁ ଝଙ୍କୃତ ହେଉଥିବା ଏହି ଲାଳିତ୍ୟ ପୂର୍ଣ୍ଣ ମନଲୋଭା ସଂଗୀତର ମୁର୍ଚ୍ଚନା ସାରା ଗାଁକୁ ମତୁଆଲା କରେ । ଆଖି ଆଗରେ ନାଚି ଯାଏ ଶରତ ସଂଜରେ କାଶତଣ୍ଡୀ ଫୁଲର ଲୋଭନୀୟ ନଈ ପଠା, ଗାଁ’ର ଉଛୁଳା ପୋଖରୀ ଭିତରେ କଇଁ ଫୁଲର ନିଆରା ଶୋଭାରାଜି,ଏସବୁର ଚିତ୍ର ହୃଦୟକୁ ପୁଲକିତ କରୁଥିବା ବେଳେ , କୁଆଁରୀ ଯୁବତୀ ମାନେ ଖୁଦୁରୁକୁଣୀଙ୍କୁ ପୂଜାକରି ଉତ୍କଳୀୟ ସଂସ୍କୃତିର ଗୌରବୋଜ୍ୱଳ ଗାଥାକୁ ମନେ ପକେଇ ଦିଅନ୍ତି ।ଏହି ଅବକାଶରେ କୁହୁଣ୍ଡା ପଞ୍ଚାୟତ ବନଗୁରିଆ ମହାଜନ ସାହିରେ ଚଳିତ ବର୍ଷ ମା’ ଖୁଦୁରୁକୁଣୀଙ୍କ ଓଷା ବେଶ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେବା ଦେଖିବାକୁ  ମିଳିଥିଲା । ଗାଁ’ର କୁଆଁରୀ ଝିଅ ମାନେ ଏହି ଓଷାରେ ଏକତ୍ରିତ ହୋଇଥିଲେ । ଅନ୍ଧାର ରାତିରୁ ଫୁଲ ତୋଳିବା ଠାରୁ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ରୀତି ନୀତି ଅନୁଯାୟୀ ଆୟୋଜିତ ହୋଇଥିଲା । ଶେଷରେ ମାଆଙ୍କୁ ମେଲାଣି ଦେବାକୁ କୁଆଁରୀ ମାନେ ବାଜା ବାଣ ରୋଷଣୀ ସାଙ୍ଗକୁ ନାଚ ଗୀତରେ ମତୁଆଲା ହୋଇପଡିବା ଦେଖିବାକୁ ମିଳିଥିଲା । ମା’ ଖୁଦୁରୁକୁଣୀଙ୍କୁ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ବିରୂପା ନଦୀରେ ବିସର୍ଜ୍ଜନ କରାଯାଇଥିଲା । ବନଗୁରିଆ ଗାଁର ଏହି ଖୁଦୁରୁକୁଣୀ ଉତ୍ସବରେ ସାରା ଗାଁର କୁଆଁରୀ ଯୁବତୀ ମାନେ ଏକାଠି ହୋଇଥିବା ବେଳେ ଭଉଣୀ ମାନଙ୍କ ଖୁସିରେ ଭାଇମାନେ ମଧ୍ୟ ସାମିଲ ହୋଇ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *