୬ଜିଲାର ଅବକାରୀ ଅଧୀକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା,୦୨/୧୧/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟରେ ଅବକାରୀ ବିଭାଗର କାର୍ଯ୍ୟକଳାପକୁ ଅଧିକ କ୍ରିୟାଶୀଳ, ସ୍ୱଚ୍ଛ ତଥା ସୁଦୃଢ଼ କରିବା ଉଦ୍ଧେଶ୍ୟରେ ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆହୂତ ହୋଇଛି । ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୩ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍  ରେ ଭର୍ଚୁଆଲ୍ ବା ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ରାଜ୍ୟର ୬ଟି ପ୍ରମୁଖ ଅବକାରୀ ଜିଲା ଯଥା ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଭଦ୍ରକ, ବ୍ରହ୍ମପୁର ଏବଂ ବାଲେଶ୍ୱରର ଅବକାରୀ ଅଧୀକ୍ଷକ (ସୁପରିନଟେଣ୍ଡେଂଟ ଅଫ୍ ଏକ୍ସାଇଜ୍) ମାନଙ୍କୁ ନିର୍ଦେଶ ଦିଆଯାଇଛି । କେବଳ ଜିଲା ଅଧୀକ୍ଷକ ନୁହନ୍ତି, ବରଂ ପ୍ରତ୍ୟେକ ଜିଲାର କ୍ଷେତ୍ରସ୍ତରୀୟ ଅଧିକାରୀ (ଫିଲ୍ଡ ଅଫିସର) ମାନେ ମଧ୍ୟ ନିଜ ନିଜ ଜିଲା ଅଧୀକ୍ଷକଙ୍କ ସହିତ ଏହି ବୈଠକରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ଏହି ଭିସି ବୈଠକ ପାଇଁ ଆବଶ୍ୟକ ଲିଙ୍କ୍ ଖୁବ୍ ଶୀଘ୍ର ସମ୍ପୃକ୍ତ ଅଧିକାରୀମାନଙ୍କ ନିକଟକୁ ପଠାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ବିଶେଷ କରି ସମ୍ପୃକ୍ତ ଜିଲାଗୁଡ଼ିକରେ ବେଆଇନ ମଦ କାରବାର ରୋକିବା, ଚୋରା ଚାଲାଣ ଉପରେ କଡ଼ା ନଜର ରଖିବା, ନିଶା କାରବାର ବିରୁଦ୍ଧରେ ବ୍ୟାପକ ଚଢ଼ାଉ ଜାରି ରଖିବା ଏବଂ ରାଜସ୍ୱ ଆଦାୟ ବୃଦ୍ଧି କରିବା ଭଳି ବିଭିନ୍ନ ବିଷୟ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି । ଏହାସହ ଚଳିତ ଆର୍ଥôକ ବର୍ଷର ଲକ୍ଷ୍ୟ ହାସଲ ତଥା ପଡ଼ିରହିଥିବା ବିଭିନ୍ନ ଅବକାରୀ ମାମଲାର ତ୍ୱରିତ ସମାଧାନ ପାଇଁ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଓ କଡ଼ା ନିର୍ଦେଶ ଦିଆଯିବ । କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତି ଯୋଗୁଁ ଜିଲାର ବାସ୍ତବ ସ୍ଥିତି, ସମସ୍ୟା ଓ ସଫଳତା ସମ୍ପର୍କରେ ସିଧାସଳଖ ତଥ୍ୟ ଆଲୋଚନା ହୋଇପାରିବ ବୋଲି ଆଶା କରାଯାଉଛି । ତେଣୁ ସମସ୍ତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଓ ତଥ୍ୟ ସହ ଠିକ୍ ସମୟରେ ଭିସିରେ ଯୋଡ଼ି ହେବା ପାଇଁ ସତର୍କ କରାଯାଇଛି ।

Leave a Reply

Your email address will not be published. Required fields are marked *