ଲଢୁଆ ନେତା ଥିଲେ ପ୍ରଶାନ୍ତ ମହାପାତ୍ର
ଭୁବନେଶ୍ୱର, ୧୬/୧୨/୨୦୨୫(ଓଡ଼ିଶା ସମାଚାର)- ପ୍ରଶାନ୍ତ ମହାପାତ୍ର ଥିଲେ ଜଣେ ସ୍ୱାଭିମାନୀ ନେତା । ଜଣେ ସଚ୍ଚୋଟ, କର୍ମଠ ଯୁବନେତା ଭାବେ ବେଶ ପରିଚିତ । ପୁରୁଣା ଭୁବନେଶ୍ୱରର ଏହି ଯୁୁବନେତା ପ୍ରଶାନ୍ତ ମହାପାତ୍ର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅତି ନିକଟତର ଥିଲେ । ବିଜୁବାବୁ ଯେଉଁ ସମୟରେ ଯେଉଁ ଦାୟିତ୍ୱ ଦେଉଥିଲେ ସେ ତାହାକୁ ସଠିକ୍ ଭାବେ ର୍ନିବାହ କରୁଥିଲେ । ସେ କେବେ ହେଲେ ନିଜ ସ୍ୱାର୍ଥ ପ୍ରତି ଧ୍ୟାନ ଦେଉ ନ ଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।

ମଙ୍ଗଳବାର ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ପ୍ରଶାନ୍ତ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶାନ୍ତ ମହାପାତ୍ରଙ୍କ ନିଷ୍ଠା କର୍ତବ୍ୟ ଯୋଗୁ ଆଜି ବି ସମସ୍ତଙ୍କ ମନରେ ରହିଛନ୍ତି । ସେତେବେଳେ ପୁରୁଣା ଭୁବନେଶ୍ୱର କହିଲେ ପ୍ରଶାନ୍ତ ଭାଇନାକୁ ବୁଝାଏ । ବିଶିଷ୍ଟ ଅତିଥିଭାବେ ବିଜେଡି ନେତା ଅରୂପ ପଟ୍ଟନାୟକ ଯୋଗଦେଇ କହିଥିଲେ ସମସ୍ତେ ଫାଇଟର ଯାହାଙ୍କୁ ରଶ୍ମୀ ମହାପାତ୍ର ଏହି ମଂଚରେ ଏକାଠି କରିପାରିଛି । ପ୍ରଶାନ୍ତ ମହାପାତ୍ର ବିଜୁ ବାବୁଙ୍କ ଭଳି ଲଢିକି ନେବାକୁ ଚାହୁଁଥିଲେ, ଦାନ ଚାହୁଁ ନ ଥିଲେ । ସେଥିପାଇଁ ବିଜୁ ବାବୁଙ୍କର ପ୍ରିୟ ହୋଇଥିଲେ ପ୍ରଶାନ୍ତ । ୧୯୮୦-୯୦ ଦଶକର କାଳ ଖଣ୍ଡନକୁ ଆଲୋଚନା କଲେ ପ୍ରଶାନ୍ତ ମହାପାତ୍ରଙ୍କ କଥା ନ କହିଲେ ଭୁବନେଶ୍ୱର ବିକାଶ ସେତେବେଳେ ଅଧୁରା ରହିଯିବ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ ବିଧାୟକ ପ୍ରଭାତ ତ୍ରପାଠି କହିଥିଲେ ।
ପ୍ରଶାନ୍ତ ମହାପାତ୍ର ସ୍ରୋତର ଅନୁକୂଳରେ ଯାଇ ନ ଥିଲେ ସେ ପ୍ରତି କୂଳରେ ଯାଇ ନେତା ହୋଇଥିଲେ । ସେତେବେଳେ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଆଗକୁ ବଢୁଥିଲା । ବିଜୁବାବୁ ପ୍ରଶାନ୍ତକୁ ଧରି ଭୁବନେଶ୍ୱରରେ ପ୍ରଥମେ ନିର୍ବାଚନ ଲଢିଥିଲେ ବୋଲି ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଯୋଗଦେଇ କହିଥିଲେ । ଏକାମ୍ର ଭୁବନେଶ୍ୱରର ଶେଷ୍ଠ ନେତୃତ୍ୱ ଥିଲେ ଓ ମୋତେ ଯଦି କିଏ ରାଜନୈତିକ ନେତା ଭାବେ ଗଢିଥାଏ ସେ ହେଲେ ପ୍ରଶାନ୍ତ ଭାଇନା ବୋଲି ସିଂ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସମାଜସେବୀ ହରପ୍ରିୟା ପାଣିଗ୍ରାହୀ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମକୁ ଜନତା ଦଳର ପୂର୍ବତନ ଛାତ୍ରନେତା ସମରେନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷତା କରିଥିଲେ କମିଟିର ଆବାହକ ଶ୍ରୀହର୍ଷ ହୋତା । ସ୍ୱର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ଧର୍ମପନୀ ତଥା ବିଜେପି ନେତ୍ରୀ ରଶ୍ମୀ ମହାପାତ୍ର କମିଟିର କର୍ମକର୍ତା ଉପସ୍ଥିତ ଥିଲେ । ଏହି ଅବସରରେ ସାମାଜସେବା, ସାମ୍ବାଦିକତା, ଶିଳ୍ପ ଓ ଆଇନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ଜଣଙ୍କୁ ପ୍ରଶାନ୍ତ ମହାପାତ୍ର ସ୍ମୃତି କମିଟି ତରଫରୁ ସାମ୍ମାନିତ କରାଯାଇଥିଲା । ଶେଷରେ ସରୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
