ସମ୍ବଲପୁର,୦୧/୧୧/୨୦୨୬(ଓଡ଼ିଶା ସମାଚାର)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହି ଅନୁପାତରେ ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସହ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଚଳିତ ଋତୁରେ ଗତ ୧୫ଦିନ ଧରି ବନ୍ଦ ଥିବା ଜଳଭଣ୍ଡାରର ସ୍ଲୁଇସ ଗେଟ୍ ମଧ୍ୟରୁ ରବିବାର ୨ଟି ପର୍ଯ୍ୟାୟରେ ୩ଟି ଗେଟ୍ ଖୋଲାଯାଇଛି। ବାମପାର୍ଶ୍ୱର ୨ଟି ଓ ଦକ୍ଷିଣ ପାର୍ଶର ଗୋଟିଏ ମିଶି ମୋଟ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।
ରବିବାର ଅପରାହ୍ନ ସାଢ଼େ ୩ଟାରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୯.୬୨ ଫୁଟ କୁ ବୃଦ୍ଧି ପାଇଛି।
