ଯାଜପୁରରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା : ୩୭ ଜଣ ସେବକ/ସେବିକାଙ୍କୁ ନିଯୁକ୍ତି ପତ୍ର ବଣ୍ଟନ

ଯାଜପୁର,୦୧/୧୧/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ (SSD M & BCW Deptt.) ର ମିଳିତ ଆନୁକୂଲ୍ୟରେ ୦୧ ନଭେମ୍ବର ୨୦୨୬ ରିଖ ପୂର୍ବାହ୍ନରେ ଜିଲ୍ଲା କଲେକ୍ଟରେଟ୍‌ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ଯୁଧିଷ୍ଠିର ନାୟକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଶ୍ରୀ ଶରତ ଚନ୍ଦ୍ର ବେହେରା ଯୋଗଦେଇ ନବନିର୍ବାଚିତ ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୭ ଜଣ ସେବକ/ସେବିକାଙ୍କୁ ନିଯୁକ୍ତି ପତ୍ର ଆନୁଷ୍ଠାନିକ ଭାବେ ବଣ୍ଟନ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଜିଲ୍ଲାର ଶିକ୍ଷା, ଜନଜାତି ଭାଷା ଓ କଲ୍ୟାଣମୂଳକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ସେବକ, ସେବିକା ଏବଂ ଜନଜାତି ଭାଷା ଶିକ୍ଷକ (Tribal Language Teachers) ମାନଙ୍କର ଏହି ନିଯୁକ୍ତି ଦ୍ୱାରା ଅବହେଳିତ ଓ ଅନଗ୍ରସର ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଓ ଉଚିତ୍‌ ପରିଚାଳନା ପାଇପାରିବେ। ଏହା ସହିତ ସ୍ଥାନୀୟ ସଂସ୍କୃତି ଓ ଭାଷାର ସୁରକ୍ଷା ହେବା ସହ ଜନଜାତି ଅଞ୍ଚଳରେ ଶିକ୍ଷାର ସ୍ତର ଯଥେଷ୍ଟ ବୃଦ୍ଧି ପାଇବ।

ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଏକ ଆଶାର ଆଲୋକ ନେଇ ଆସିଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏହି ଆଭିମୁଖ୍ୟ ଯୁବସମାଜକୁ ନିଯୁକ୍ତିର ସୁଯୋଗ ଦେବା ସହ ଜିଲ୍ଲାର ବେକାରୀ ସମସ୍ୟା ଦୂର କରିବାରେ ଏକ ସକାରାତ୍ମକ ପଦକ୍ଷେପ ସାବ୍ୟସ୍ତ ହୋଇଛି। ଏହା ଦ୍ୱାରା ଅନେକ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ସେମାନଙ୍କର ଜୀବନଧାରଣର ମାନ ବୃଦ୍ଧି ପାଇବ।

ସମାଜର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ଏହି ପ୍ରଶଂସନୀୟ ଉଦ୍ୟମ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସ୍ୱାଗତ କରାଯାଇଛି। ସରକାରଙ୍କ ଏହିପରି ଜନକଲ୍ୟାଣକାରୀ ଓ ନିଯୁକ୍ତିଭିତ୍ତିକ ଯୋଜନା ଯାଜପୁର ଜିଲ୍ଲାକୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଏକ ନୂତନ ଶିଖରକୁ ନେଇଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *