ନୟାଗଡ଼, ୧୫/୦୨/୨୦୨୪ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପୁଲିସ ଚଢ଼ାଉ କରି ୫ଟି ବନ୍ଧୁକ ଜବତ କରି ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ ସୂଚନା ମୁତାବକ ରଣପୁର ଥାନା ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ଅଧୀନ କ୍ଷତ୍ରୀବରପୁର ଗାଁରେ ବୁଧବାର ଚଢ଼ାଉ କରି କୁମର ଦଳେଇ, କାଶୀନାଥ ଦଳେଇ ଓ ନିତ୍ୟାନନ୍ଦ ଦଳେଇଙ୍କ ଠାରୁ ୩ଟି ହାତ ତିଆରି ଦେଶୀ ବନ୍ଧୁକ ଜବତ ହୋଇଥିଲା। ସେହିପରି ଚାନ୍ଦପୁର ଥାନା ଅନ୍ତର୍ଗତ ପଟିଆ ପଞ୍ଚାୟତ ଅଧୀନ ଜରୀପଡା ଗାଁର ଶିବସୁନ୍ଦର ପ୍ରଧାନ ଓ ପଟିଆ-ପାଇକସାହି କେଶବ ଚନ୍ଦ୍ର ନାୟକଙ୍କ ଘରେ ଆଜି ଚଢ଼ାଉ କରି ପୁଲିସ ଆଉ ଦୁଇଟି ବନ୍ଧୁକ ଜବତ କରାଯାଇଛି। ସମସ୍ତ ବେଆଇନ ବନ୍ଧୁକଧାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ନିହାର ରଞ୍ଜନ ମହାନ୍ତି, ଏସ.ଆଇ ବିଶ୍ୱଭୂଷଣ ସିଂହ ଓ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
ରଣପୁର ଅଞ୍ଚଳରୁ ୫ ବେଆଇନ୍ ବନ୍ଧୁକ ଜବତ, ୫ ଗିରଫ
