ଦୟାନଦୀ ପଦ ଯାତ୍ରା ମାଧ୍ୟମରେ ନଦୀର ସୁରକ୍ଷା ପାଇଁ ଦେଲେ ବାର୍ତ୍ତା
ଭୁବନେଶ୍ୱର,୦୨/୧୦/୨୦୨୬(ଓଡ଼ିଶା ସମାଚାର)-ଗାନ୍ଧୀ ଜୟନ୍ତୀ ଅବସରରେ ଦୟା ନଦୀ ପଦ ଯାତ୍ରା ଆଜି ଲିଙ୍ଗିପୁର୍ ଛକ ଠାରୁ କୁଆଖିଆ, ଦୟା ଓ ଭାର୍ଗବୀ ମିଳନ ସ୍ଥଳ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ।
ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ, କଳିଙ୍ଗ ସଂସ୍କୃତି ଓ ଐତିହ ସୁରକ୍ଷା ଆସୋସିଏସନ୍, ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ,(TOAI) ର ମିଳିତ ଆନୁକୂଲ୍ୟରେ ଏହି ନଦୀ ପଦଯାତ୍ରା ଲିଙ୍ଗିପୁର୍ ଠାରୁ ବାଙ୍କୁଆଳ ପର୍ଯ୍ୟନ୍ତ ଯାତ୍ରା କରି ଥିଲା । ଅପରାହ୍ନ ୪ ଘଟିକା ସମୟରେ ମହାନଦୀ ତଥା ଏହାର ଶାଖା ନଦୀ ଦାୟର ସୁରକ୍ଷା ପାଇଁ ଏହି ନଦୀ ପଦଯାତ୍ରା ଆୟୋଜିତ ହୋଇଥିଲା । ସମ୍ପ୍ରତି ଖରାଦିନେ ଦୟାନଦୀ ଅବସ୍ଥା ଶୋଚନୀୟ ହୋଇଯାଏ । ଏଥିରେ ଆଗ ଭଳି ଆଉ ପାଣି ରହେନାହିଁ । ଭୁବନେଶ୍ୱର ସମସ୍ତ ମଇଳା ଓ ଆବର୍ଜନାକୁ ନେଇ ଗଙ୍ଗୁଆ ଦୟା ନଦୀରେ ନିକ୍ଷେପ କରିବା ଯୋଗୁଁ ଦୟା ପ୍ରବଳ ଭାବରେ ପ୍ରଦୂଷିତ ହୁଏ । ଲୋକମାନେ ମଧ୍ୟ ନଦୀ ଭିତରକୁ ଅଳିଆ ଆବର୍ଜନା ନିକ୍ଷେପ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।
ନଦୀ ହେଉଛି ସମାଜ ଓ ଜୀବଜଗତର ଜୀବନରେଖା । ଏହାର ସୁରକ୍ଷା ଉପରେ ନିର୍ଭର କରେ ପ୍ରତ୍ୟେକଟି ଜୀବନ । ତେଣୁ ଏହାର ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଜରୁରୀ ।
ଏହି ବାର୍ତ୍ତା ଦେବା ପାଇଁ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଙ୍କ ନେତୃତ୍ୱରେ ଏହି ନଦୀ ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ବିଶିଷ୍ଟ ସମାଜସେବୀ ତଥା କୋପୋକ ର ସଭାପତି ସଂଗ୍ରାମ ପାଇକରାୟ, ଦୟା ସୁରକ୍ଷା ଅଭିଯାନର ଆବାହକ ସଚ୍ଚିକାନ୍ତ ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ଗିରିଜା ଶଙ୍କର ଦାଶଙ୍କ ସମେତ ଟି ଓ ଏ ଆଇ ର ଅନେକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।ଏହି ପଦଯାତ୍ରା କାର୍ଯ୍ୟକ୍ରମ ଲିଙ୍ଗିପୁର୍ ୟୁଥ ଗ୍ରୁପର ସଦସ୍ୟ ବିଜୟ ସାମନ୍ତରାୟ, ଦୁର୍ଗାମାଧବ ଦାଶ, ଦିଲ୍ଲୀପ ସାମନ୍ତରାୟ, ରାଜେଶ ମହାନ୍ତି, ଅଶୋକ ଓଝା, ବିଜୟ ସାହୁ, କ୍ଷେତ୍ରମୋହନ ରାଉତ, ଅରୁଣ ସେଠି, ଅଭିଷେକ ସାମନ୍ତରାୟ, ନୀତିଶ ସାମନ୍ତରାୟ, ଶୁଭମ ପଣ୍ଡା, ଅଜୟ ଓଝା, ଅଶୋକ ହରି, ଦୀନେଶ ନାୟକ ଓ ବାମଦେବ ଗଜେନ୍ଦ୍ରଙ୍କ ସକ୍ରିୟ ସହଯୋଗରେ ସମ୍ପନ୍ନ ହୋଇଥିଲା ।
