କେନ୍ଦ୍ରାପଡ଼ା,୦୨/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ତଥା କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଭୌଗୋଳିକ ମାନ୍ୟତା ପ୍ରାପ୍ତି (ଜିଆଇ ଟ୍ୟାଗ)ର ୩ବର୍ଷ ପୂର୍ତି ଉପଲକ୍ଷେ ବନ୍ଧୁ ମିଳନ ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ଗୋପଛକ ସ୍ଥିତ କମଳ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡା ରସାବଳୀ ମିଷ୍ଠାନ ନିର୍ମାତା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା (ଆଇଏଏସ)୍ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡା ରସାବଳୀର ଏହି ମାନ୍ୟତାକୁ ବଜାୟ ରଖିବାକୁ ହେଲେ ତାହାର ଆନୁସଙ୍ଗିକ କାର୍ଯ୍ୟକ୍ରମ ଗୁଡିକ କିଭଳି କରାଯିବା ଆବଶ୍ୟକ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସଂଘର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଭୁବନ ମୋହନ ଜେନା, ସଂଘ ସଂଯୋଜକ ସରୋଜ କୁମାର ମହାନ୍ତି, ସଂପାଦକ ଆଡଭୋକେଟ ବଳରାମ ସାହୁ, ସହ ସଂପାଦକ କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ‘ଇଷ୍ଟ ପ୍ରିୟ ନୈବେଦ୍ୟ ରସାବଳୀ’ ସ୍ମରଣିକା ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଜି ଆଇ ଟ୍ୟାଗ ପାଇବା ପାଇଁ କରାଯାଇଥିବା ବିଭିନ୍ନ ପ୍ରକାର ଉଦ୍ୟମ, ଐତିହାସିକ ଦସ୍ତାବିଜ, ପୌରାଣିକ କାବ୍ୟ-କବିତା, ଓ ବୈଷୟିକ ଟିମ୍ ଦ୍ୱାରା ରସାବଳୀର ବିଭିନ୍ନ ପ୍ରକାର ପରୀକ୍ଷଣ ଓ ତଥ୍ୟ ସମ୍ବନ୍ଧରେ ସଂଯୋଜକ ସରୋଜ ମହାନ୍ତି ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ ।
ସଂଘର ସଭାପତି ସ୍ୱର୍ଗତ ସୈାରୀ ଚନ୍ଦ୍ର ସାହୁ ଓ ଉପ ସଭାପତି ସ୍ୱର୍ଗତ ବୈଷ୍ଣବ ଚରଣ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସେମାନଙ୍କ ଦାୟାଦ ଦିପକ କୁମାର ସାହୁ ଓ ମହେଶ୍ୱର ପଣ୍ଡାଙ୍କ ସମେତ ଜି.ଆଇ. ଟ୍ୟାଗ ପାଇଁ କାର୍ଯ୍ୟ କରିଥିବା ସ୍ୱେଛାସେବୀ ସଂଗଠନ ରାଇଡ୍ ର ସମ୍ପାଦକ କିଶୋର କୁମାର ସାହୁଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜିବୀ, ଶିକ୍ଷାବିତ୍, ସାହିତି୍ୟକ, କବି, ପ୍ରାବନ୍ଧିକ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମ୍ପାଦକ ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
