ଚୌଦ୍ୱାର କଟକ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

କଟକ, ୦୨/୧୦/୨୦୨୬(ଓଡ଼ିଶା ସମାଚାର/ ଦେବାଶିଷ ରଥ)-  ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ବିଜୁ ଜନତାଦଳ ପକ୍ଷରୁ ନଭେମ୍ବର ୨ ପର୍ଯ୍ୟନ୍ତ ମାସବ୍ୟାପୀ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ଚୌଦ୍ୱାର କଟକ ବିଜେଡି ପକ୍ଷରୁ କଟକ ପୋତା ପୋଖରୀ ଗାନ୍ଧୀ ପଲ୍ଲୀ ଠାରୁ ଏକ ପଦଯାତ୍ରା ବାହାରି ସ୍ଥାନୀୟ ସେଲିବ୍ରେସନ ମଣ୍ଡପ ପାଖରେ ପହଂଚି ଥିଲା । ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଦଯାତ୍ରା ମାଧ୍ୟମରେ ଜନତାଙ୍କ ସହ ସିଧାସଳଖ ସମ୍ପର୍କ, ଜନସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା ଓ ଜନସଚେତନତାର ଆହ୍ୱାନ ଦେଇଛି ବିଜୁ ଜନତା ଦଳ ।

ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ଚୌଦ୍ୱାର–କଟକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨, ୨୦୨୬ ଠାରୁ ନଭେମ୍ବର ୨, ୨୦୨୬ ପର୍ଯ୍ୟନ୍ତ ମାସବ୍ୟାପୀ “ଜନ ସମ୍ପର୍କ ପଦଯାତ୍ରା” ଅନୁଷ୍ଠିତ ହେବ।

ଏହି ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ବିଗତ ବିଜୁ ଜନତା ଦଳ ସରକାର ସମୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଜନକଲ୍ୟାଣମୂଳକ ପଦକ୍ଷେପ ଏବଂ ବର୍ତ୍ତମାନର ରାଜ୍ୟ ସରକାର ସମ୍ପର୍କରେ ଦଳ ପକ୍ଷରୁ ଉଠାଯାଉଥିବା ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗ ନେଇ ଆଲୋଚନା କରାଯିବ।

ବିଶେଷକରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି, କୃଷକଙ୍କ ସମସ୍ୟା, ସାର ଯୋଗାଣ, ଆଇନଶୃଙ୍ଖଳା, ମହିଳାଙ୍କ ସୁରକ୍ଷା, ଶିକ୍ଷା ବ୍ୟବସ୍ଥା, ପାଠ୍ୟପୁସ୍ତକ ସମ୍ପର୍କିତ ସମସ୍ୟା, ବାଲି ଘାଟ ପରିଚାଳନା ଏବଂ ଖଣିଜ ସମ୍ପଦ ସମ୍ପର୍କିତ ପ୍ରସଙ୍ଗ ଆଦି ଉପରେ ଜନସାଧାରଣଙ୍କ ସହ ମତବିନିମୟ ଓ ଜନସଚେତନତା କାର୍ଯ୍ୟକ୍ରମ କରାଯିବ।

ବିଶେଷତଃ MMDR ସଂଶୋଧନ ଆଇନ, ୨୦୨୬କୁ ନେଇ ଓଡ଼ିଶାର ଖଣିଜ ସମ୍ପଦ, ରାଜ୍ୟର ଆର୍ଥିକ ଅଧିକାର ଓ ରାଜସ୍ୱ ସମ୍ପର୍କରେ ବିଜେଡି ଉଠାଇଥିବା ପ୍ରଶ୍ନଗୁଡ଼ିକ ଉପରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯିବ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି, ଏହି ପଦଯାତ୍ରା ରେ ଚୌଦ୍ୱାର–କଟକ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତା, ଚେୟାରମ୍ୟାନ, ଡେପୁଟି ମେୟର, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ, କର୍ପୋରେଟର, କାଉନସିଲର, ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡିର କର୍ମକର୍ତ୍ତା, ବିଜୁ ପ୍ରେମୀ ଓ ସମସ୍ତ କର୍ମୀବୃନ୍ଦ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *