ଯାଜପୁରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଗାନ୍ଧୀବାଦୀ ଆଦର୍ଶକୁ ଆପଣାଇ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ

ଯାଜପୁର,୦୨/୧୦/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଆଜି ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାଧାରଣ ସଭା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା।

ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଯାଜକ ପଣ୍ଡିତ ସଞ୍ଜୟ ମିଶ୍ରଙ୍କ ଦ୍ୱାରା ଗୀତା ପାଠ, ଧର୍ମଯାଜକ ମହମ୍ମଦ ଶାଫିଉଜ ଜମାଙ୍କ ଦ୍ୱାରା କୋରାନ ପାଠ ଏବଂ ଧର୍ମଯାଜକ ଶଶି ମିଂଜଙ୍କ ଦ୍ୱାରା ବାଇବେଲ ପାଠ କରାଯାଇଥିଲା। ଏହାପରେ ସୂରଧୁନି ଗ୍ରୁପର କଳାକାରମାନେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଏବଂ ‘ରଘୁପତି ରାଘବ ରାଜା ରାମ’ ପରିବେଷଣ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ମୁଖ୍ୟ ବକ୍ତା ଭାବେ ଅରୁଣୋଦୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ଗାନ୍ଧୀ ଦର୍ଶନ ଗବେଷକ ଓ ଲେଖକ ଡ. ଅବଶ ପରିଡ଼ା ଏବଂ ସମ୍ମାନିତ ଅତିଥି ଭାବେ ଯାଜପୁର ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ନିଜ ଅଭିଭାଷଣରେ ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମର ସ୍ୱଚ୍ଛତା ଓ ଜଳ ସଂରକ୍ଷଣ ମଡେଲର ପ୍ରଶଂସା କରିଥିଲେ। ଯାଜପୁରର ବୈରୀ ରେଳ ଷ୍ଟେସନରେ ଗାନ୍ଧୀ ଗ୍ୟାଲେରୀ ଏବଂ ପୁରୁଷୋତ୍ତମପୁରରେ ‘ଗାନ୍ଧୀ ସ୍ମୃତି ପୀଠ’ ନିର୍ମାଣ ପାଇଁ ସେ ଦାବି ଉପସ୍ଥାପନ କରିଥିଲେ।

ଗାନ୍ଧୀଜୀଙ୍କ ଗ୍ରାମୀଣ ବିକାଶ ଓ ଆତ୍ମନିର୍ଭରଶୀଳତାର ଚିନ୍ତାଧାରାକୁ ‘ବିକଶିତ ଭାରତ ୨୦୪୭’ ସହ ସମ୍ପର୍କିତ କରିବା ସହ ସେ ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଯାଜପୁର ପାଇଁ ନୂତନ ରେଳ ଲାଇନ ମଞ୍ଜୁରୀ ହୋଇଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବପିଢ଼ିଙ୍କୁ ଭାରତୀୟ ସଂସ୍କୃତି ସହ ଆଧୁନିକ ଜ୍ଞାନକୌଶଳ, ଯଥା ଏଆଇ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଆଦିକୁ ଆପଣାଇବାକୁ ଆହ୍ୱାନ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ନିଜ ଅଭିଭାଷଣରେ ସମାଜରେ ଗାନ୍ଧୀବାଦୀ ଆଦର୍ଶର ପ୍ରାସଙ୍ଗିକତା, ନାଗରିକଙ୍କ ସକ୍ରିୟ ଭାଗିଦାରୀ ଓ ବୌଦ୍ଧିକ ଚିନ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଗାନ୍ଧୀବାଦୀ ଦର୍ଶନ ଭାରତୀୟ ପରମ୍ପରା ଓ ମୂଲ୍ୟବୋଧ ଉପରେ ଆଧାରିତ ଏକ ସୁଦୃଢ଼ ବିଚାରଧାରା, ଯାହା ଆଜି ମଧ୍ୟ ବିଶ୍ୱସ୍ତରରେ ପ୍ରେରଣାର ଉତ୍ସ ହୋଇପାରିଛି।

ସମାଜର ଘଟଣାବଳୀ ପ୍ରତି ନାଗରିକଙ୍କ ସଚେତନତା ଓ ସକ୍ରିୟ ଭାଗିଦାରୀର ଗୁରୁତ୍ୱ ଉପରେ ଆଲୋକପାତ କରି ଜିଲ୍ଲାପାଳ କହିଥିଲେ ଯେ, ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକ ସଚେତନ, ସକ୍ରିୟ ଓ ପ୍ରତିକ୍ରିୟାଶୀଳ ହେବା ଆବଶ୍ୟକ। ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନରେ ସମସ୍ତେ ଅବଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲ l

ମୁଖ୍ୟ ବକ୍ତା ଡ. ଅବଶ ପରିଡ଼ା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ସେବା ଓ ସାମାଜିକ ନ୍ୟାୟର ଦର୍ଶନର ବୈଶ୍ୱିକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଗାନ୍ଧୀଜୀଙ୍କ ଚିନ୍ତାଧାରା ଆଜି ମଧ୍ୟ ବିଶ୍ୱର ବିଭିନ୍ନ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ସେ ମତ ପ୍ରକାଶ କରିଥିଲେ। ସାବରମତୀ ଆଶ୍ରମ, ସେବାଗ୍ରାମ, ପିଟରମାରିଜବର୍ଗ ଓ ଫିନିକ୍ସ ଭଳି ସ୍ଥାନ ଗାନ୍ଧୀଜୀଙ୍କ ବୈଶ୍ୱିକ ଐତିହ୍ୟର ପ୍ରତୀକ ବୋଲି ସେ ଉଲ୍ଲେଖ କରିଥିଲେ। ‘ଅନାସକ୍ତି ଯୋଗ’ ମାଧ୍ୟମରେ ଗୀତାର ବ୍ୟାଖ୍ୟା, ପରିବେଶ ସମ୍ବନ୍ଧୀୟ ଗାନ୍ଧୀଜୀଙ୍କ ଚିନ୍ତାଧାରା ଏବଂ ତାଙ୍କର ନେତୃତ୍ୱ ଗୁଣ ସାମ୍ପ୍ରତିକ ସମାଜ ପାଇଁ ପ୍ରେରଣାଦାୟୀ ବୋଲି ଡ. ପରିଡ଼ା ପ୍ରକାଶ କରିଥିଲେ।

ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରାଥମିକ ସ୍ତରରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା। ସକାଳ ୭.୩୦ ମିନିଟ୍ ସମୟରେ ଜିଲ୍ଲା ସ୍କୁଲ ପରିସରରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ବାପୁଜୀଙ୍କ ବାଣୀ ସମ୍ବଳିତ ଏକ ପ୍ରଭାତ ଫେରୀ ବାହାରି ଗାନ୍ଧୀ ଛକ, ମେଡିକାଲ ଛକ ଦେଇ ଗୌତମ ବୁଦ୍ଧ ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାଇଥିଲା।

ସକାଳ ୮.୩୦ ମିନିଟ୍ ସମୟରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଓ ଅତିଥିମାନେ କିଆନାଳୀସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଗାନ୍ଧୀ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ଜିଲ୍ଲା ସ୍କୁଲ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଏବଂ ସଂସ୍କୃତି ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି ଜୟନ୍ତୀ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *