ଅବ୍ୟବସ୍ଥା ଘେରରେ କଇଥା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ମାହାଙ୍ଗା ୨୪/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) -ଅଭିଭକ୍ତ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୀମାନ୍ତ ଗ୍ରାମ ହେଉଛି କଇଥା   ।  ବିଜୁ ବାବୁଙ୍କ ସରକାର ସମୟ ରେ ନୂଆ ଜିଲ୍ଲା ଗଠନ ହେବା ପୂର୍ବରୁ ପଶୁ ସ୍ୱାସ୍ଥ୍ୟର ବିକାଶ ପାଇଁ କଇଥା-ସମସରପୁର ୨ଟି ପଂଚାୟତକୁ ନେଇ ଗଠିତ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଏବେବି ଯାଜପୁର ଜିଲ୍ଲା ପ୍ରଶାସନର ନିୟନ୍ତ୍ରଣରେ ରହିଥିବାରୁ ସାଧାରଣ ଗୋ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

କଇଥା ପଞ୍ଚାୟତରେ ନିର୍ମିତ ଏହି ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟଟି କଟକ ଜିଲାରେ ଅବସ୍ଥିତ ହୋଇଥିବା ସତ୍ୱେ, ସଂପ୍ରତି ଯାଜପୁର ମୁଖ୍ୟ ପ୍ରାଣୀ ସମ୍ପଦ ବିଭାଗ ଅଧିନ ଛତିଆ ପ୍ରାଣୀଧନ ହସ୍ପିଟାଲ ଦ୍ୱାରା ପରିଚାଳିତ । କଇଥା ଏବଂ ସମସରପୁର ଉଭୟ ପଞ୍ଚାୟତର ଅଧିକାଂଶ ଗ୍ରାମକୁ ଯାଜପୁର ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ମାନେ ପହଂଚି ପାରନ୍ତି ନାହିଁ । କଟକ ଜିଲ୍ଲାରେ ଏହି କଇଥା ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟ ନାମକୁ ମାତ୍ର କାର୍ଯ୍ୟ କରୁଥିବା ବେଳେ, ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଏହି ୨ଟି ପଞ୍ଚାୟତର ମାଟି ମାଡି ନଥାଏ । ସେପଟେ ନାମକୁ ଯାଜପୁର ଜିଲ୍ଲା ପ୍ରଶାସନ ର ନିୟନ୍ତ୍ରଣରେ ଏହି ଚିକିତ୍ସା କେନ୍ଦ୍ରଟି ଥାଇ ନଥିବା ପରି ଚର୍ଚ୍ଚା ହୁଏ । କଇଥା ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟ କୋଠପଦା ପଶୁଡାକ୍ତରଖାନା ନିୟନ୍ତ୍ରଣରେ ରହି ପାରିଲେ ଏବଂ କଟକ ଜିଲ୍ଲା ପ୍ରଶାସନ ଏହାକୁ ନିଜ ନିୟନ୍ତ୍ରଣକୁ ନେଇପାରିଲେ, ହଜାର ହଜାର ଗୃହ ପାଳିତ ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟ ସେବାର ଉପଯୁକ୍ତ ଯତ୍ନ ନିଆଯାଇପାରନ୍ତା ।

ଅତୀତରେ କୌଣସି ଜନ ପ୍ରତିନିଧି ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ତତ୍ପରତା ଦେଖାଇ ନାହାନ୍ତି । କଇଥା ଏବଂ ସମସରପୁର ଉଭୟ ପଞ୍ଚାୟତର ଶହଶହ ଗୋ’ଚାଷୀ ଉପରୋକ୍ତ ଅବ୍ୟବ୍ୟସ୍ଥା ଏବଂ ଅସଂଗତି ସମ୍ପର୍କରେ ମାହାଙ୍ଗାର ବିଧାୟକ ସାରଦା ପ୍ରସାଦ ପ୍ରଧାନଙ୍କୁ ଅବଗତ କରାଇଥିବା ସୂଚନା  ମିଳିଛି  ।  ସ୍ଥାନୀୟ ଜନପ୍ରତିନିଧି ଏହି ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ସାଧାରରେ ଦାବି ହୋଇଛି  ।

Leave a Reply

Your email address will not be published. Required fields are marked *