ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୬ ପାଳିତ

ଜଗତସିଂହପୁର ୦୧/୧୦/୨୦୨୬(ଓଡ଼ିଶା ସମାଚାର)-  ଆଜି ପୂର୍ବାହ୍ନରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଅଛି।ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ କହିଲେ ବରିଷ୍ଠ ନାଗରିକ ମାନଙ୍କର ଅଭିଜ୍ଞତା ଓ ଅନୁପ୍ରେରଣା ସର୍ବଦା ଜିଲ୍ଲା ପାଇଁ କାମ୍ୟ। ସେମାନଙ୍କର ଆଶୀର୍ବାଦ ରେ ଜଗତସିଂହପୁର ଜିଲ୍ଲାର ପ୍ରଗତି ଦ୍ଵିଗୁଣିତ ହେବ।

ସେମାନଙ୍କର ସମସ୍ତ ସୁବିଧା ଅସୁବିଧାକୁ ଶୁଣି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ବରିଷ୍ଠ ନାଗରିକ ଙ୍କ ନିମନ୍ତେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କ ମାନଙ୍କରେ ସ୍ଵତନ୍ତ୍ର ଧାଡ଼ି ର ବ୍ୟବସ୍ଥା, ସମସ୍ତ ସୁବିଧା ସୁଯୋଗ ଥିବା ଏକ ବିଶ୍ରାମଗାର, ସରକାରୀ କାର୍ଯ୍ୟାଳୟ ରେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କର କାର୍ଯ୍ୟ ସମ୍ପାଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ  ପରାମର୍ଶ  ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ଲକ ଚେୟାରମ୍ୟାନ କନକ ପ୍ରଭା ଲେଙ୍କା ବରିଷ୍ଠ ନାଗରିକ ମାନଙ୍କୁ ସୁସ୍ଥ ସମାଜର ସୂତ୍ରଧର ବୋଲି କହିଥିଲେ।

ସେମାନଙ୍କର ପ୍ରେରଣା ରେ ଜିଲ୍ଲା ବିକାଶ ରାସ୍ତାରେ ଅଗ୍ରସର ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସଭାରେ ଅଧ୍ୟକ୍ଷତା କରି  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ବରିଷ୍ଠ ନାଗରିକ ମାନଙ୍କର ଅଭିଜ୍ଞତା ଓ ଦିଗଦର୍ଶନ ସର୍ବଦା କର୍ମଜୀବନ ଓ ବ୍ୟକ୍ତିଗତ ଜୀବନକୁ ଆଲୋକିତ କରିଥାଏ ବୋଲି କହିଥିଲେ।ସଭାରେ ଯୋଗ ଦେଇ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ବରିଷ୍ଠ ନାଗରିକ ମାନେ ସର୍ବଦା ପୂଜ୍ୟ ଓ ସେମାନଙ୍କର ଅଭିଜ୍ଞତା ତଥା ଆଶୀର୍ବାଦ ସମାଜ କୁ ବିକାଶ ଦିଗରେ ଅଗ୍ରଗତି କରାଇବ ବୋଲି  କହିଥିଲେ।

ପରେ ବରିଷ୍ଠ ନାଗରିକ ମାନଙ୍କୁ ଅତିଥିମାନେ ସାଲ, ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଜିଲ୍ଲାର ବରିଷ୍ଠ ନାଗରିକମାନେ ନିଜ ନିଜର ବକ୍ତବ୍ୟରେ ଜିଲ୍ଲାରେ ବରିଷ୍ଠ ଜନସାଧାରଣଙ୍କର ବିଭିନ୍ନ ସୁବିଧା ଅସୁବିଧା କଥା  ମୁଖ୍ୟ ଅତିଥିଙ୍କୁ ଜଣାଇଥିଲେ।ସକାଳ ୮ ଘଟିକାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗାଭ୍ୟାସ,ପରେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପାଲା ଓ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରେମାନନ୍ଦ ପଢ଼ିଆରୀ ଉପ ସଭାପତି, ବରିଷ୍ଠ ନାଗରିକ ମହାମଞ୍ଚ ଜଗତସିଂହପୁର, ଧନ୍ୟବାଦ୍ ଅର୍ପଣ କରିଥିଲେ।

ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଭରତ ଚନ୍ଦ୍ର ପରିଡା, ଉପ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦାର ସୁନ୍ଦର ସ୍ଵାଇଁ, ବରିଷ୍ଠ ନାଗରିକ ମହମଞ୍ଚର ସଦସ୍ୟ, ବିଭିନ୍ନ ବ୍ଲକ୍ ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ, ସହରର ବୁଦ୍ଧିଜୀବୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ଦିନଟିକୁ ଉପଭୋଗ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କର୍ମକର୍ତ୍ତା ,କନିଷ୍ଠ ସହାୟକ ଓ ପ୍ରୋଗ୍ରାମ ସହାୟକ ସହଯୋଗ କରିଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *