ସେବା ସଂକଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ‘ସେବାରେ ମୋର ଯୋଗଦାନ’ କାର୍ଯ୍ୟକ୍ରମ

ଯାଜପୁର,୦୧/୧୦/୨୦୨୬(ଓଡ଼ିଶା ସମାଚାର)-ସେବା ସଂକଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ “ସେବାରେ ମୋର ଯୋଗଦାନ” ଶୀର୍ଷକ ଏକ ଜନସଚେତନତା କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ କେଏନ୍‌ଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଯାଜପୁର ରେଞ୍ଜର ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ଶିବଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଓ ସାମାଜିକ ସୁରକ୍ଷାମୂଳକ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ବିଭାଗୀୟ ସମନ୍ୱୟ ଓ ଜନସହଭାଗିତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରାରମ୍ଭରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟ ସୁନ୍ଦର ରାଉତରାୟ ସ୍ୱାଗତ ଭାଷଣ ଦେଇ ସେବା ସଂକଳ୍ପ ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଶ୍ରୀ ସୁଧୀର କୁମାର ସାହୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ଓଡ଼ିଶା ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଉପଲବ୍ଧ ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ।

ସେହିପରି ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ଶ୍ରୀ ଦୀପ୍ତି ରଞ୍ଜନ ସାହୁ ଶ୍ରମ ଆଇନର ଅନୁପାଳନ, ବିଭାଗୀୟ ପ୍ରବର୍ତ୍ତନମୂଳକ କାର୍ଯ୍ୟକଳାପ ଓ ଶ୍ରମିକମାନଙ୍କ ଆଇନଗତ ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ସୁଶ୍ରୀସଙ୍ଗୀତା ସ୍ୱାଇଁ ଓ ଶ୍ରୀ ଦେବାଶିଷ ଜେନା ସର୍ବନିମ୍ନ ମଜୁରି ଆଇନର ବିଭିନ୍ନ ବ୍ୟବସ୍ଥା, ଶ୍ରମିକଙ୍କ ନ୍ୟାଯ୍ୟ ପାରିଶ୍ରମିକ ଓ ନିଯୁକ୍ତିଦାତାଙ୍କ ଆଇନଗତ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇଥିଲେ।

ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଓ ଶିଶୁ ସୁରକ୍ଷା ଉପରେ ରୁଚିକା ଓ ଆସ୍ପାୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଆଲୋକପାତ କରିଥିଲେ। ଶିଶୁମାନଙ୍କୁ ନିଷିଦ୍ଧ କାର୍ଯ୍ୟରେ ନିୟୋଜିତ ନକରିବା ଓ ସେମାନଙ୍କ ଅଧିକାରର ସୁରକ୍ଷା ଦିଗରେ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଅଭିଯାନ ଅନ୍ତର୍ଗତ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ହିତାଧିକାରୀମାନଙ୍କୁ ପ୍ରାୟ ୧ କୋଟି ୯୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହା ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା, କଲ୍ୟାଣ ଓ ଆର୍ଥିକ ସଶକ୍ତୀକରଣ ଦିଗରେ ବିଭାଗର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ବେହେରା, ଶ୍ରୀ ଅଭିଜିତ ଜୟପ୍ରକାଶ ପ୍ରଧାନ, ସୁଶ୍ରୀ ସତରୂପା ସାହୁ, ସୁଶ୍ରୀ ଶତାବ୍ଦୀକା ନାୟକ ଓ ସୁଶ୍ରୀ ନୀଳିମା କୁମାରୀ ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଶ୍ରମିକ ସଂଗଠନର ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ଶେଷରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସ୍ମୃତିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *