ତୀର୍ଥରେ ଜିଲାରୁ ଗଲେ ୧୦୮ ବରିଷ୍ଠ ନାଗରିକ
କେନ୍ଦ୍ରାପଡ଼ା, ୨୪/୧୧/୨୦୨୫(ଓଡ଼ିଶା ସମାଚାର)-ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଉଜ୍ଜୟିନୀ-ଓଁକାରେଶ୍ୱର ଅଭିମୁଖେ ତୀର୍ଥଯାତ୍ରାରେ ସୋମବାର ଯାତ୍ରା ଆରମ୍ଭ କରିଛନ୍ତି କେନ୍ଦ୍ରାପଡ଼ା ଜିଲାର ୧୦୮ ତୀର୍ଥଯାତ୍ରୀ । ଆସନ୍ତା କାଲି ଭୁବନେଶ୍ୱରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ସେମାନେ ଯାତ୍ରା ଆରମ୍ଭ କରିବେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଂସ୍କୃତି ଭବନରେ ସମସ୍ତଙ୍କ ପଞ୍ଜିକରଣ ଏବଂ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅପରାହ୍ନରେ ୩ ଟି ସ୍ୱତନ୍ତ୍ର ବସ ଯୋଗେ ଭୁବନେଶ୍ୱର ଅଭିମୁଖେ ସେମାନେ ଯାତ୍ରା ଆରମ୍ଭ କରିଛନ୍ତି ।
କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ଜିଲାପାଳ ରଘୁରାମ ଆର. ଆୟାର, ଜିଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ରହି ଯାତ୍ରାର ଶୁଭାରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ ରାଜନଗର ଜଣେ ରାଜକନିକା ୮ ଜଣ, ଗରଦପୁର ୩ ଜଣ, ଡେରାବିଶ ୧୯ ଜଣ, ମହାକାଳପଡ଼ାର ୧୩ ଜଣ, ମାର୍ଶାଘାଇର ୧୬ ଜଣ, ପଟ୍ଟାମୁଣ୍ଡାଇର ୨ ଜଣ, କେନ୍ଦ୍ରାପଡ଼ା ବ୍ଲକରୁ ୩୯ ଜଣ ଏବଂ ଦୁଇ ପୌରାଂଚଳରୁ ୪ ଜଣଙ୍କ ସମେତ ୪ ଜଣ ଏସ୍କର୍ଟ ଅଫିସର ଯାତ୍ରା କରିଛନ୍ତି । ପ୍ରକାଶଥାଉକି ତୀର୍ଥଯାତ୍ରୀ ନଭେମ୍ବର ୩୦ ତାରିଖରେ ଫେରିବେ ।
