ଚାଉଳିଆଗଞ୍ଜ ପ୍ରସିଦ୍ଧ ଖୁଦୁରୁକୁଣୀ ଭସାଣି ଶାନ୍ତି ଶୃଙ୍ଖଳାର ସହ ଧୁମଧାମରେ ଶେଷ 

କଟକ ସଦର,୨୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପରମ୍ପରା ଅନୁଯାୟୀ ଖୁଦୁରୁକୁଣୀ ପୂଜା ଶେଷ ପାଳି ରବିବାର ପରେ ପଡୁଥିବା ପ୍ରଥମ ବୁଧବାର ଅର୍ଥାତ ଆଜି ରାଜ୍ୟର ଏକମାତ୍ର ପ୍ରସିଦ୍ଧ ଚାଉଳିଆଗଞ୍ଜ ର ଖୁଦୁରୁକୁଣୀ ଭସାଣି ଶୋଭାଯାତ୍ରା ତୁହାକୁ ତୁହା ବର୍ଷା ସତ୍ବେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ବିଭିନ୍ନ ସାହି ପୂଜା ମଣ୍ଡପରେ ପୂଜା ପାଇଥିବା ୧୭ ଟି ଖୁଦୁରୁକୁଣୀ ମେଢ଼ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ଏକତ୍ରିତ ହେଵା ପରେ ଶୋଭାଯାତ୍ରାରେ ସାହି ପରିକ୍ରମା କରି ନିର୍ଧାରିତ ସମୟ ରାତି ୧୦ ଟା ସୁଦ୍ଧା ତାଳଦଣ୍ଡା କେନାଲ କୂଳରେ ହୋଇଥିବା ଅସ୍ଥାୟୀ ପୋଖରୀରେ ଵିସର୍ଜିତ ହୋଇଥିଲେ।

ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପ୍ରତ୍ୟେକ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତା, ଶାନ୍ତି କମିଟି କର୍ମକର୍ତ୍ତା, ଏସିପି ସୁଧାଂଶୁ ଭୁଷଣ ଜେନା, ଚାଉଳିଆଗଞ୍ଜ ଥାନା ଅଧିକାରିଣୀ ରୀନା ମିଶ୍ର ଙ୍କ ସମେତ ପୋଲିସ୍ ବଳ ସଜାଗ ରହିଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ ଯେ ଲଘୁଚାପ ଜନିତ ବର୍ଷା ଫଳରେ ପୂର୍ବଦିନ ଅର୍ଥାତ୍ ମଙ୍ଗଳବାର ରାତିରେ ପୂଜା ମଣ୍ଡପ ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଫିକା ପଡ଼ିଥିବାଵେଳେ ଆଜି ଖେଳ ପଡ଼ିଆରେ ପାଣି ଜମି ରହିବା ଯୋଗୁଁ ମେଢ଼ ଗୁଡ଼ିକ ଏକତ୍ରିତ ହେବାରେ ସମସ୍ୟା ଦେଖାଦେଇଥିଲା।

Leave a Reply

Your email address will not be published. Required fields are marked *