ଦୁଷ୍କର୍ମ ପୀଡ଼ିତାଙ୍କୁ ୬ଲକ୍ଷ୧୮ହଜାର ଟଙ୍କା ଅନ୍ତରୀଣ ଥଇଥାନ ରାଶି

ଆମ୍ବେଦକର ଲୋହିଆ ବିଚାରମଞ୍ଚ ଆବେଦନରେ ଓଡିଶା ମାନବ ଅଧିକାର କମିଶନଙ୍କ ସୁପାରିଶ

ଭୁବନେଶ୍ୱର, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)-  ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା,ବିଶେଷ କରି ଦୁଷ୍କର୍ମ ଘଟଣା ବଢିଚାଲିଥିଲା ବେଳେ ନିର୍ଯାତିତ ମାନଙ୍କୁ ଆର୍ଥିକ ସହାୟତା ଓ ଥଇଥାନ ରାଶି ମିଳିବାରେ ଅତ୍ୟଧିକ ବିଳମ୍ବ ଘଟୁଛି । ୨୦୨୦ମସିହାରେ ନିମାପଡା ଥାନା ଅଞ୍ଚଳରେ ଜଣେ ବାକ ଓ ଶ୍ରବଣ ବାଧିତ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ୩ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ କୌଣସି ସହାୟତା ରାଶି ପ୍ରଦାନ କରାଯାଇନାହିଁ । ରାଜ୍ୟର ଅଗ୍ରଣୀ ଗଣ ସଂଗଠନ ଆମ୍ବେଦକର ଲୋହିଆ ବିଚାର ମଞ୍ଚପକ୍ଷରୁ ଏ ସଂପର୍କରେ ଓଡିଶା ମାନବ ଅଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରାଯାଇଥିଲା ଯାହାର ଶୁଣାଣୀ କରି ମାନ୍ୟବର କମିଶନ ପୀଡ଼ିତାଙ୍କୁ ୬,୧୮,୭୫୦ଟଙ୍କାର ଅନ୍ତରୀଣ ଥଇଥାନ ରାଶି ତୁରନ୍ତ ପ୍ରଦାନ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ।

ଉଲ୍ଳେଖୟୋଗ୍ୟଯେ କୋଭିଡର ତାଲାବନ୍ଦ ସମୟରେ ଅନିସୁଚିତ ଜାତିର ଉକ୍ତ ନାବାଳିକାଙ୍କ ଶାରୀରିକ ଅକ୍ଷମତାର ସୁଯୋଗ ନେଇ,ଅଭିଯୁକ୍ତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ ଓ ସେ ଗର୍ଭବତୀ ହେବାରୁ ଏସଂପର୍କରେ ଜଣାପଡିଥିଲା | ପରବର୍ତ୍ତୀ ସମୟରେ ନିମାପଡା ଥାନାରେ ୨୨.୧୧.୨୦୨୦ତାରିଖରେ ମାମଲାର ରୁଜୁ ହୋଇଥିଲା । ସେହି ବର୍ଷ ଡିସେମ୍ବର ମାସରେ ପୀଡିତା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହି ମାମଲାରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ୨୦୨୧ ଜାନୁଆରୀ ମାସରେ ଦାଖଲ ହୋଇଥିଲା । ଏସସିଏସଟି ରୁଲସ ର ଅନୁଯାୟୀ ୭ଦିନ ମଧ୍ୟରେ ପୀଡ଼ିତାଙ୍କୁ ୫ଲକ୍ଷଟଙ୍କା ସହାୟତା ରାଶିର୫୦ପ୍ରତିଶତ ପ୍ରଦାନକରାଯିବା ଓ ଅଭିଯୋଗଫର୍ଦ୍ଦ ଦାଖଲ ପରେ ବାକି ୫୦ପ୍ରତିଶତ ଅର୍ଥ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । କିନ୍ତୁ ସରକାରୀ ଅଧିକାରୀ ମାନଙ୍କ ଅବହେଳା କାରଣରୁ ପୀଡ଼ିତାଙ୍କୁ ଅଦ୍ୟାବଧି କୌଣସି ସହାୟତା ରାଶି ମିଳିନାହିଁ । ଏପରି ଅମାନବୀୟ ଅବହେଳା ବିରୁଦ୍ଧରେ ବିଚାରମଞ୍ଚ ପକ୍ଷରୁ ୨୦୨୩ ମସିହା ମାର୍ଚ୍ଚ ମାସରେ ଓଡିଶା ମାନବ ଅଧିକାର କମିଶନଙ୍କ ନିକଟରେ ପିଟିସନ ଦାୟର କରାଯାଇଥିଲା ଓ ଏ ସଂପର୍କରେ କମିଶନ ରିପୋର୍ଟ ମାଗିଥିଲେ । ପୁରୀ ଜିଲ୍ଲା ପୋଲିସ ଏସପି ଓ ଜିଲ୍ଲା ମଙ୍ଗଳଅଧିକାରୀଙ୍କ ରିପୋର୍ଟ ମିଳିଲାପରେ ମାନ୍ୟବର କମିଶନ ଅନ୍ତରୀଣ ଥଇଥାନ ରାଶି୧୫ଦିନ ମଧ୍ୟରେ ପ୍ରଦାନ କରିବାକୁ ଗତ୧୬.୧.୨୪ତାରିଖରେ ସୁପାରିଶ କରିଛନ୍ତି ।

ବିଚାରମଞ୍ଚର ସଭାପତି ସଂଗ୍ରାମ ମଲିକ କମିଶନଙ୍କ ଏହି ନିର୍ଦେଶକୁ ସ୍ୱାଗତ କରିଛନ୍ତି ଓ ଅତି କଠିନ ପରିସ୍ଥିତି ମଧ୍ୟରେ ଥିବା ପୀଡିତା, ତାଙ୍କ ଶିଶୁକନ୍ୟା ଓ ପରିବାରଙ୍କୁ ଏହା ସହାୟକ ହେବ ବୋଲି କହିଛନ୍ତି | ତା’ ସହିତ ଏପରି ଅହେତୁକ ବିଳମ୍ବ ପାଇଁ ଦାୟୀ ଅଧିକାରୀମାନେ କର୍ତ୍ତବ୍ୟରେ ଅବହେଳା କାରଣରୁ ଦଣ୍ଡିତ ହେବା ନିମନ୍ତେ ନିର୍ଦେଶ ପାଇଁ ଅପେକ୍ଷା ରହିଛି ବୋଲି ଶ୍ରୀ ମଲିକ କହିଛନ୍ତି ।

Leave a Reply

Your email address will not be published. Required fields are marked *