୧୫ ଲକ୍ଷ ୫୦ ହଜାର ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର, ୨୦ଟି ମୋବାଇଲ୍ ଫୋନ୍, ଲାପଟପ୍ ଓ ଟାବଲେଟ୍ ଜବତ
ସମ୍ବଲପୁର,୧୮/୦୯/୨୦୨୬ (ଓଡ଼ିଶା ସମାଚାର)-ସାଇବର ଅପରାଧ ମାମଲାରେ ସମ୍ବଲପୁର ସାଇବର ଥାନାକୁ ବଡ଼ ସଫଳତା ମିଳିଛି। ସାଇବର ଥାନା କେସ୍ ନମ୍ବର ୨୩, ତାରିଖ ୨୯ ଜୁନ୍ ୨୦୨୬ ମାମଲାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଧରିଛି। ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ୧୫ ଲକ୍ଷ ୫୦ ହଜାର ଟଙ୍କା ନଗଦ, ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର, ୨୦ଟି ମୋବାଇଲ୍ ଫୋନ୍, ଲାପଟପ୍ ଓ ଟାବଲେଟ୍ ଜବତ କରିଛି।
ଏହା ସହିତ ଅପରାଧରେ ବ୍ୟବହୃତ ଏକ ହୋଣ୍ଡା ଆକ୍ଟିଭା, ନକଲି ପରିଚୟପତ୍ର ଏବଂ ନକଲି ନୋଟ୍ ସଦୃଶ କାଗଜ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି।
ଫେସ୍ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ କରିଛି ସାଇବର ପୋଲିସ। ସେମାନେ ହେଲେ ଝାରସୁଗୁଡ଼ା ଜିଲା ଟାଉନଥାନା ଅନ୍ତର୍ଗତ ପୁରୁଣାବସ୍ତି ବାବୁପଡ଼ାର ମୂଳ ବାସିନ୍ଦା ଓ ବର୍ତ୍ତମାନ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତକାଇଁଶିର ସିଂପାଲିରେ ଏକ ଭଡ଼ାଘରେ ରହୁଥିବା ଦୁଇ ଭଉଣୀ ରାଜକୁମାରୀ ବାଡ଼ି(୨୪) ଓ ଝରଣା ବାଡ଼ି(୩୨) ତଥା ଭାଇ ରାଜେଶ ବାଡ଼ି(୩୮) ଭାଇଭଉଣୀ ମିଶି ୟଟ୍ୟୁବ ରୁ ଠକେଇ କରିବାର ଉପାୟ ଶିଖି ଏହି କାରବାର ଚଳାଉଥିଲେ। ଏନେଇ ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି।

ଏସପିଙ୍କ କହିବା ଅନୁଯାୟୀ, ଗତ ଜୁନ୍ ମାସରେ ସମ୍ବଲପୁର ସାଇବର ଥାନାରେ ଏକ ଭିନ୍ନ ଧରଣର ଅଭିଯୋଗ ଆସିଥିଲା। ଅଭିଯୋଗକାରୀ ଭାରତୀ ଏକ୍ସା ଲାଇଫ ଇନ୍ସୁରାନ୍ସର ଜଣେ ବ୍ରାଞ୍ଚ ମ୍ୟାନେଜର ରାଉରକେଲାର ଲିପକ କୁମାର ପ୍ରଧାନଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ‘ଦିଶା ଅଗ୍ରଓ୍ବାଲ’ ନାମକ ଏକ ନକଲି ଫେସବୁକ୍ ଆଇଡି ମାଧ୍ୟମରେ ତାଙ୍କୁ ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଚାଟିଂ ଜରିଆରେ ସମ୍ପର୍କ ବଢ଼ାଇ ଏକ ମେଶିନ ସାହାଯ୍ୟରେ ଟଙ୍କା ଦ୍ୱିଗୁଣିତ କରିବାର ଲାଳସା ଦେଖାଇଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ପ୍ରଥମେ ସମ୍ବଲପୁରର ଏକ ହୋଟେଲରେ ସେମାନେ ଟଙ୍କା ଦ୍ବିଗୁଣ କରିବାର ଏକ ଡେମୋ ଦେଖାଇଥିଲେ।
ଏହାପରେ ପୀଡ଼ିତଙ୍କୁ ଅନୁଗୋଳର ଏକ ହୋଟେଲକୁ ଡକାଯାଇଥିଲା, ଯେଉଁଠାରେ ସେ ହୋମ ଲୋନ୍ କରି ଆଣିଥିବା ୨୫ ଲକ୍ଷ ଟଙ୍କା ନେଇ ପହଞ୍ଚିଥିଲେ। ହୋଟେଲରେ ଯୋଜନାବଦ୍ଧ ଭାବେ ଅଭିଯୁକ୍ତମାନେ ସମାନ ଧରଣର ଦୁଇଟି ବ୍ୟାଗ୍ ବ୍ୟବହାର କରିଥିଲେ ଏବଂ ପେନ୍ଡ୍ରାଇଭ୍ ତଥା ବାଇକ ଚାବି ଭୁଲିଯିବା ବାହାନାରେ ଟଙ୍କା ଥିବା ବ୍ୟାଗ୍ ଅଦଳବଦଳ କରି ଫେରାର ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଗତ ଜୁନ୍ ମାସରେ ଲିଖିତ ଅଭିଯୋଗ ପାଇବା ପରେ ସାଇବର ଥାନାରେ କେସ ନମ୍ବର ୨୩/୨୦୨୬ରେ ଏକ ମାମଲା ରୁଜୁ କରି ସାଇବର ଡିଏସ୍ପି ଓ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇ ଝାରସୁଗୁଡ଼ାରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୧୫ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯିବା ସହ ଠକେଇ ଟଙ୍କାରେ କିଣାଯାଇଥିବା ତଥା ମୁଥୁଟ ଫାଇନାନ୍ସରୁ ମୁକୁଳା ଯାଇଥିବା ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଗହଣାକୁ ମଧ୍ୟ ଉଦ୍ଧାର କରାଯାଇଛି। ଏହି ଠକ ଗ୍ୟାଙ୍ଗ ରାଉରକେଲାରେ ମଧ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଏଭଳି ଉପାୟରେ ୧୦ ଲକ୍ଷ ଟଙ୍କା ଠକିଥିବା ଜଣା ପଡ଼ିଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।
