ପ୍ରସିଦ୍ଧ ଗଣେଶ ପୂଜା ପାଇଁ ସଜେଇ ହେଲାଣି ଭୁବନ

                                     ମୁଖ୍ୟ ଆକର୍ଷଣ ବୃନ୍ଦାବନ ପ୍ରେମ ମନ୍ଦିର

ଭୁବନ ୧୨/୦୯/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଦ୍ୱିତୀୟ ଦଶହରାର ପରିଚୟ ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା କୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ସାଜସଜ୍ଜା ଓ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ବାହାରୁ ମୂର୍ତ୍ତି କାରିଗର ଓ ଗେଟ୍,ତୋରଣ ,ଲାଇଟ୍ ସାଜସଜ୍ଜା ପାଇଁ କାରିଗର ମାନେ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ସତ୍ତ୍ୱେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ସନ୍ଧ୍ୟାରେ ଲାଇଟ୍ ଗେଟ୍ ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଭୁବନ । ଏବେଠାରୁ ଉଠା ଦୋକାନୀ, ମୀନା ବଜାର,ଫାଷ୍ଟ ଫୁଡ ଷ୍ଟଲ୍ ସବୁ ଖୋଲି ଗଲାଣି । ଚଳିତ ବର୍ଷ ଭୁବନରେ ୨୧ ଟି ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ପୂଜା ପାଇବେ । ପୂଜାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ କ୍ଲବ୍ ତରଫରୁ ପ୍ରତିଦ୍ୱନ୍ଦିତା ଭାବେ ମେଲୋଡି, ଅର୍କେଷ୍ଟ୍ରା ପାର୍ଟି ଆୟୋଜନ କରାଯାଇଛି ।

୧୪ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଏବଂ ୨୩ ଓ ୨୪ ତାରିଖ ଦୁଇ ଦିନ ମେଲଣ ପଡିଆରେ ଶ୍ରୀ ଗଣେଶ ମେଲଣ ମହୋତ୍ସବ ଅନୁଷ୍ଠିତ ହେବ । ୨୫ ତାରିଖ ମଧ୍ୟାହ୍ନ ରୁ ମିଳିତ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଫ୍ରେଣ୍ଡସିପ କ୍ଲବ୍ ର ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ହାଇସ୍କୁଲ ପଡ଼ିଆରେ ଏଥର ବୃନ୍ଦାବନ ପ୍ରେମ ମନ୍ଦିର ମଡେଲ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବିଗତ ବର୍ଷ ଗୁଡିକରେ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଜଗନ୍ନାଥ ଙ୍କ ର ଗଜାନନ ବେଶ ଓ ଅଯୋଧ୍ୟା ରାମ ମନ୍ଦିର ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ମଧ୍ୟ ବୃନ୍ଦାବନ ପ୍ରେମ ମନ୍ଦିର ଚର୍ଚ୍ଚାରେ ରହିବ ବୋଲି ଆଶା କରାଯାଉଛି। ପ୍ରସିଦ୍ଧ ଗଣେଶ ପୂଜାରେ ସବୁଠାରୁ ମୁଖ୍ୟ ପ୍ରସଙ୍ଗ ହେଉଛି ଟ୍ରାଫିକ ନିୟନ୍ତ୍ରଣ। ଅପରାହ୍ନ ୫ ଘଟିକା ଠାରୁ ରାତ୍ର ,୧୧ ଘଟିକା ପର୍ଯ୍ୟନ୍ତ ଭିଡ ଲାଗିରହେ। ପେଟ୍ରୋଲ ପମ୍ପ ଛକ ଠାରୁ କାଳୀ ବଜାର, ନୂଆ ବଜାର,ଅରବିନ୍ଦ ମାର୍ଗ ଦେଇ ଦର୍ଶକ ମାନେ ହାଇସ୍କୁଲ ପଡ଼ିଆକୁ ଆସିଥାନ୍ତି । ପାର୍କିଂ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନଥିବା ବେଳେ ବାହାର ଲୋକମାନେ ବ୍ଲକ ରୋଡ,ସିନେମା ହଲ୍ ଛକ ଓ ହୋଣ୍ଡା ଶୋରୁମ୍ ଗଳି ରେ ଚାରି ଚକିଆ,ଦୁଇ ଚକିଆ ଗାଡ଼ି ପାର୍କିଂ କରିଥାନ୍ତି ।

ଏଥିଯୋଗୁ କାଳୀ ବଜାର ରୁ ନୂଆ ବଜାର ଓ ହାଇସ୍କୁଲ୍ ପଡ଼ିଆରେ ପ୍ରବଳ ଗହଳି ଓ ଜାମ୍ ହୋଇଥାଏ । ଗତ ବର୍ଷ ଲୋକମାନେ ଦୀର୍ଘ ସମୟ ଭିଡରେ ଫସି ଅଣନିଶ୍ୱାସୀ ହୋଇ ଯାଇଥିଲେ । ତେଣୁ ଗହଳି ମଧ୍ୟରେ ଦୁଇ ଚକିଆ,ଚାରି ଚକିଆ ଗାଡ଼ି ଆଦୌ ଛଡ଼ା ନ ଯାଇ ସେମାନଙ୍କ ପାଇଁ ଅଲଗା ରୁଟ୍ କରାଯିବାକୁ ବୁଦ୍ଧିଜୀବୀ ମହଲ ମତ ଦେଉଛନ୍ତି । ତେବେ ଟ୍ରାଫିକ ନିୟନ୍ତ୍ରଣ କୁ ଏଥର କଡ଼ାକଡ଼ି କରାଯିବା ସହିତ ଚୋରୀ, ଛିନତାଇ , ପକେଟ ମାର ଙ୍କୁ ପୋଲିସ ଦୃଢ଼ ହସ୍ତରେ ଦମନ କରିବ ବୋଲି ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *